Breaking: ବିଧାନସଭାରେ ଅନନ୍ତ ଦାସଙ୍କ ମରଶରୀର, ଲାଗିଛି ପ୍ରବଳ ଗହଳି
ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ୪ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀର। ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବୟସ ବର୍ଗର ଲୋକ।
ଭୁବନେଶ୍ୱର: ବିଧାନସଭାରେ ଅନନ୍ତ ଦାସଙ୍କ ମରଶରୀର। ପୂର୍ବତନ ମନ୍ତ୍ରୀ ତଥା ୪ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀରକୁ ଏବେ ବିଧାନସଭା ନିଆଯାଇଛି। ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ଲୋକ। ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ତାଙ୍କ ଶେଷ ଦର୍ଶନ କରୁଛନ୍ତି।
ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ଦେହାନ୍ତରେ ସମସ୍ତ ନେତା ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଥମେ ତାଙ୍କ ଭୁବନେଶ୍ୱର ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ଆଉ ପରେ ତାଙ୍କୁ ବିଧାନସଭା ନିଆଯାଇଥିଲା।
ବିଧାନସଭାରେ ମଧ୍ୟ ସମସ୍ତ ଦଳର ରାଜନେତା ଅନନ୍ତଙ୍କ ଶେଷ ଦର୍ଶନ କରୁଛନ୍ତି। ଆଜି ଭୋର ସାଢେ ୩ଟା ବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ବହୁ ଦିନ ଧରି ଅସୁସ୍ଥ ଥିଲେ। ନିକଟରେ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା।
ଆଉ ଆଜି ସକାଳୁ ସକାଳୁ ଏହିଭଳି ଏକ ଦୁଃଖଦ ଖବର ଆସିଥିଲା। ଅନନ୍ତଙ୍କ ଦେହାନ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଥିଲେ। ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ମର୍ମାହତ ହୋଇଥିଲେ।
ଭୋଗରାଇରୁ ଲଗାତର ୪ ଥର ବିଧାୟକ ହୋଇଥିଲେ ଅନନ୍ତ ଦାସ । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ହୋଇଥିଲେ । ୨୦୧୪ରେ ସେ ଦୁଇଟି ବିଭାଗର ମନ୍ତ୍ରୀ ହୋଇଥିଲେ।
ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗର ମନ୍ତ୍ରୀ ହୋଇଥିଲେ ଅନନ୍ତ ଦାସ । ବିଧାୟକ ହେବା ପୂର୍ବରୁ ବିଡିଓ, ତହସିଲଦାର ଏବଂ ପୁରୀରେ ନବକଳେବର ସମୟରେ ଏଡିଏମ୍ ମଧ୍ୟ ହୋଇଥିଲେ । ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁରୁଠିଆରେ ସେ ଜନ୍ମଗ୍ରହଣ କରିଥିଲେ ।