fbpx

ଅନ୍‌ଲାଇନ୍ କାର୍ଡ ପେମେଣ୍ଟର ନୂଆ ନିୟମ ଲାଗୁ ହେବାର ସମୟସୀମା ଘୁଞ୍ଚିଲା, ଏହିଦିନ ହେବ କାର୍ଯ୍ୟକାରୀ

Advertisement

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅନ୍‌ଲାଇନ୍ ଠକେଇ ରୋକିବା ପାଇଁ ଆରବିଆଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଅନ୍‌ଲାଇନ୍ କାର୍ଡ କାରବାରରେ ଟୋକନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିୟମ ନୂଆ ବର୍ଷ ପ୍ରାରମ୍ଭରୁ ଲାଗୁ ହେବାର ଥିଲା ଅର୍ଥାତ ୨୦୨୨ ଜାନୁଆରି ୧ରୁ ଲାଗୁ ହେବାର ଥିଲା। କିନ୍ତୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିୟମ ଲାଗୁ କରିବାର ସମୟ ସୀମାକୁ ଆଉ ୬ ମାସ ବଢ଼ାଇ ଦିଆଯାଇଛି । ଏଣିକି ୨୦୨୨ ଜାନୁଆରୀ ୧ ନୁହେଁ ବରଂ ଜୁଲାଇ ୧ରୁ ନୂଆ ନିୟମ ଲାଗୁ ହେବ।

ତେବେ ବର୍ତମାନ ଚାଲୁଥିବା ବ୍ୟବସ୍ଥାରେ ଗ୍ରାହକମାନେ କୌଣସି ଇ-କମର୍ସ ସାଇଟରୁ ଜିନିଷ କିଣିଲା ବେଳେ ସେମାନଙ୍କ କାର୍ଡର ବିବରଣୀକୁ ସେଥିରେ ସେଭ୍ କରୁଛନ୍ତି । ଫଳରେ ବାରମ୍ବାର ପେମେଣ୍ଟ୍ କରିବା ବେଳେ ଆଉ କାର୍ଡ ବିବରଣୀକୁ ପ୍ରତି ଥର ଦେବାକୁ ପଡ଼ୁନାହିଁ । ହେଲେ ସେମାନଙ୍କ କାର୍ଡର ସମସ୍ତ ତଥ୍ୟ ପେମେଣ୍ଟ୍‌ ଗ୍ରହଣ କରୁଥିବା ସଂସ୍ଥା ପାଖରେ ରହୁଛି । କାର୍ଡର ନମ୍ବର, ସିଭିଭି ନମ୍ବର ଆଦି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ କଂପାନିଗୁଡ଼ିକ ପାଖରେ ରହୁଛି । ଯଦିଓ ଏହି ବ୍ୟବସ୍ଥା‌ ଉଭୟ କଂପାନି ଓ ଗ୍ରାହକଙ୍କ ପାଇଁ ବେଶ ସହଜ, କିନ୍ତୁ କାର୍ଡ ତଥ୍ୟର ଅପବ୍ୟବହାର ହେବାର ବହୁ ଆଶଙ୍କା ରହୁଛି।

ହେଲେ ନୂଆବର୍ଷରୁ ଯେଉଁ ନୂଆ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି ସେଥିରେ ଗ୍ରାହକମାନେ ଆଉ ନିଜ କାର୍ଡ ତଥ୍ୟକୁ ସଂରକ୍ଷିତ ରଖିବାର ସୁବିଧା ପାଇବେ ନାହିଁ । ପ୍ରତି ଥର ପେମେଣ୍ଟ୍‌ କରିବା ବେଳେ କାର୍ଡର ବିବରଣୀ ଦେବାକୁ ପଡ଼ିବ । ଏହା ଗ୍ରାହକଙ୍କୁ ବିରକ୍ତିକର ଅନୁଭୂତି ‌ପ୍ରଦାନ କରିପାରେ, କିନ୍ତୁ ସେମାନଙ୍କ କାର୍ଡକୁ ସୁରକ୍ଷିତ ରଖିବାରେ ଏହି ବ୍ୟବସ୍ଥା ବିଶେଷ ସହାୟକ ହେବ।

ଏଭଳି ଝିନ୍‌ଝଟ୍‌ରେ ପଡ଼ିବାକୁ ଚାହୁନଥିବା ଗ୍ରାହକମାନେ ଟୋ‌କନାଇଜେସନ୍‌ ବିକଳ୍ପକୁ ଚୟନ କରିପାରିବେ। ସେଥିରେ ଗ୍ରାହକଙ୍କ କାର୍ଡକୁ ଏକ ଟୋକନ୍‌ରେ ପରିଣତ କରାଯିବ । ଗ୍ରାହକ ଏହି ବିକଳ୍ପ ଚୟନ କରିବା ପରେ ‌କାର୍ଡକୁ ଟୋକନ୍‌ରେ ପରିଣତ କରିବା ଲାଗି ପେମେଣ୍ଟ୍‌ ଗ୍ରହଣ କରିବାକୁ ଥିବା ସଂସ୍ଥା କାର୍ଡ ଜାରି କରିଥିବା ସଂସ୍ଥାକୁ କହିବ। ସେଠାରୁ କାର୍ଡର ଟୋକନ୍ ଜାରିହେବ। ସେଥିରେ କାର୍ଡର ସବୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏନ୍‌କ୍ରିପ୍ଟ ହୋଇରହିବ। ବର୍ତ୍ତମାନ କେବଳ ମାଷ୍ଟରକାର୍ଡ ଓ ଭିସା ନେଟ୍‌ୱର୍କରେ ଥିବା କାର୍ଡଗୁଡ଼ିକରେ ଟୋକନ୍ ସୁବିଧା ମିଳୁଛି। ଆଗାମୀ ଦିନରେ ଅନ୍ୟ କାର୍ଡ ପ୍ରଦାନକାରୀମାନେ ଏହି ସୁବିଧା ଗ୍ରାହକଙ୍କୁ ପ୍ରଦାନ କରିବେ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.