ବରଗଡ଼: ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଜେଲ ବାଥରୁମରେ ଗାମୁଛାରେ ଝୁଲି କଏଦୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କଏଦୀଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ଜେଲ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ବିଚାରଧୀନ କଏଦୀଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାରୁ ପ୍ରକାଶ ଅକ୍ଟୋବର ୨୮କୁ ପକ୍ସୋ ମାମଲାରେ ତାଙ୍କ ଜାମିନ ନାମଞ୍ଜୁର ପରେ ଜେଳରେ ଥିଲେ । ମୃତକ ଜଣଙ୍କ ହେଉଛନ୍ତି ଝାରବନ୍ଧ କାମପାଲିର ନୃପତ ସାହୁ । ତେବେ କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।