ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଜାମ୍ମୁ ଏକ୍ସପ୍ରେସ୍ ଉମ୍ରନ୍ ମଲ୍ଲିକଙ୍କ ଶେଷ ଓଭରରେ ଜବରଦସ୍ତ ବୋଲିଂ ବଳରେ ଭାରତ ଆୟରଲାଣ୍ଡକୁ ୪ ରନ୍ରେ ହରାଇବା ସହ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ସିରିଜକୁ କବଜା କରିଛି। ପ୍ରଥମ ମ୍ୟାଚ୍ରେ ଭାରତ ୭ ୱିକେଟ୍ ରେ ବିଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୨୫ ରନ୍ର ବିଶାଳ ସ୍କୋର୍ ଘରୋଇ ଟିମ୍ ଆଗରେ ଛିଡ଼ା କରିଥିଲା।
ଏହାର ଜବାବରେ ଆୟରଲାଣ୍ଡ ୨୦ ଓଭରରେ ୫ ୱିକେଟ୍ ହରାଇ ୨୨୧ ରନ୍ କରିପାରିଥିଲା। ଶେଷ ଓଭରରେ ବିଜୟ ପାଇଁ ୧୭ ରନ୍ ଆବଶ୍ୟକ କରୁଥିବା ବେଳେ ଆୟରଲାଣ୍ଡ କେବଳ ୧୩ ରନ୍ କରିପାରିଥିଲା। ଏହି ବିଜୟ ସହ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୦ରେ ନିଜ ନାଁ ରେ କରିନେଇଛି।
୨୨୬ ରନ୍ର ଟାର୍ଗେଟକୁ ପିଛା କରି ଆୟର୍ଲାଣ୍ଡର ଓପନର ଦଳକୁ ଏକ ଭଲ ଆରମ୍ଭରେ ପହଞ୍ଚାଇଥିଲେ। ପଲ୍ ଷ୍ଟିରଲିଂ ଏବଂ ଆଣ୍ଡ୍ରିୟୁ ବଲବର୍ନି ୫.୪ ଓଭରରେ ପ୍ରଥମ ୱିକେଟ୍ ପାଇଁ ୭୨ ରନ୍ ଭାଗିଦାରୀ କରିଥିଲେ। ୪୦ ରନ୍ ସ୍କୋର କରିବା ପରେ ପାଲ୍ ଆଉଟ୍ ହୋଇଥିଲେ। କିନ୍ତୁ ଅଧିନାୟକ ଆଣ୍ଡ୍ରିୟୁ ବିଲବର୍ନି ଗୋଟିଏ ପଟରେ ରହି ଦଳକୁ ବିଜୟ ଆଡକୁ ଅଗ୍ରସର ହେଉଥିଲେ। ତେବେ ସେ ୩୭ ବଲରେ ୬୦ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିପରି ୨୮ ବଲରେ ହ୍ୟାରି ଟେକ୍ଟର ୩୯ ରନ୍, ଜର୍ଜ ଡକ୍ରେଲ ୧୬ ଟି ବଲରୁ ୩୪ ଏବଂ ଆଡର ୧୨ ଟି ବଲରେ ୨୩ ରନ ସ୍କୋର କରିଥିଲେ।
ଶେଷ ଦୁଇ ଓଭରରେ ଆୟର୍ଲାଣ୍ଡକୁ ୩୧ ରନ୍ ଆବଶ୍ୟକ ଥିଲା। ୧୯ତମ ଓଭରରେ ଦଳ ୧୩ ରନ୍ ସଂଗ୍ରହ କରିଥିଲା ଏବଂ ଶେଷ ଓଭରରେ ୧୭ ରନ୍ ଆବଶ୍ୟକ କରିଥିଲା। କିନ୍ତୁ ଆୟରଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ମାନେ ଉମ୍ରାନ ମଲିକଙ୍କ ଓଭରରେ ମାତ୍ର ୧୩ ରନ୍ ସଂଗ୍ରହ କରିପ।ରିଥିଲେ। ଭୁବନେଶ୍ୱର, ଉମ୍ରାନ, ହର୍ଷଲ, ରବି ବିଷ୍ଣୋଇ ଭାରତ ପାଇଁ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।