ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ: ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍ କୁ ୫ ଓ୍ଵିକେଟରେ ପରାସ୍ତ କରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ । ୩-୦ରେ ସିରିଜ୍ ଜିତିଲା ମହିଳା ଦଳ । ଭଦୋଦରାରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।

ୱେଷ୍ଟଇଣ୍ଡିଜ୍ ଦଳ ୩୮.୫ ଓଭରରେ ୧୬୨ ରନ୍ କରି ଆଉଟ୍ ହୋଇଯାଇଥିଲା । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଶିନେଲ୍ ହେନରୀ ସର୍ବାଧିକ ୬୧ ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୬ଟି ଓ୍ଵିକେଟ୍ ନେଇଥିବା ବେଳେ ରେଣୁକା ସିଂହ ୪ଟି ୱିକେଟ୍ ନେଇଥିଲେ ।

ଭାରତୀୟ ଦଳକୁ ବିଜୟ ପାଇଁ ୧୬୩ ରନର ଟାର୍ଗେଟ ମିଳିଥିଲା । କିନ୍ତୁ ଭାରତ ଦଳ ୨୮.୨ ଓଭରରେ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୩୯ ଓ ଅଧିନାୟିକା ହରମନପ୍ରୀତ କୌର ୩୨ ରନ୍ କରିଥିଲେ ।

ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି ଶର୍ମାଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା । ଦିନିକିଆ ଶୃଙ୍ଖଳାରେ ଚମତ୍କାର ବୋଲିଂ ପାଇଁ ରେଣୁକା ସିଂହଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଥିଲା ।

ରେଣୁକା ସିଂହ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧୦ଟି ୱିକେଟ୍ ନେଇଥିଲେ । ଦିନିକିଆ ଶୃଙ୍ଖଳା ଜିତିବା ସହ ଭାରତୀୟ ମହିଳା ଦଳ ଟି-୨୦ ସିରିଜରେ ୨-୧ରେ ବିଜୟୀ ହୋଇଛି ।