fbpx

ବାବା ରାମଦେବଙ୍କୁ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ୍

ଆଇଏମଏ ଉତ୍ତରଖଣ୍ଡ ଉଠାଇଲା ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ଏଲୋପାଥୀ ବା ଡାକ୍ତରୀ ଔଷଧ ବିରୋଧରେ ବିବାଦୀୟ ମନ୍ତବ୍ୟ । ବାବା ରାମଦେବଙ୍କ ବିରୋଧରେ ଗୁରୁତ୍ୱର ଅଭିଯୋଗ ଆଣିଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ। ପରେ ସ୍ୱର ବଦଳାଇଥିଲେ ବାବା ରାମଦେବ । ନିଜ ମତ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ବାବାଙ୍କୁ ନେଇ ବିବାଦ ସମ୍ପୂର୍ଣ୍ଣ ଥମିନି । ଏହାରି ମଧ୍ୟରେ ତାଙ୍କ ବିରୋଧରେ ୧ ହଜାର କୋଟି ଟଙ୍କାର ମାନହାନୀ ମାମଲା ହୋଇଛି । ଆଇଏମଏ ଉତ୍ତରାଖଣ୍ଡ ଶାଖା ପକ୍ଷରୁ ଏଭଳି ନୋଟିସ୍ କରାଯାଇଛି ।

ସୂଚନା ଅନୁସାରେ, କରୋନା ଓ ଏଥିରୁ ସୁସ୍ଥ ହେବାକୁ ନେଇ ଏଲୋପାଥୀ ମେଡିସିନ୍ ବା ଡାକ୍ତରୀ ଔଷଧକୁ ନେଇ ବାବା ରାମଦେବ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହା ଦ୍ୱାରା କରୋନା ସଂକ୍ରମଣରୁ ସୁସ୍ଥ ହେବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ଏହାପରେ ଏଭଳି ମତ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସମ୍ପ୍ରତି ମାନହାନୀ ନୋଟିସରେ ଆଇଏଏ ଉତ୍ତରାଖଣ୍ଡ ଶାଖା ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ଯଦି ବାବା ରାମଦେବ ୧୫ ଦିନ ମଧ୍ୟରେ ନିଜ ମନ୍ତବ୍ୟ ଫେରାଇବା ନେଇ ଏକ ଭିଡିଓ ପୋଷ୍ଟ କରିବେନି ବା ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିବେନି ତେବେ ତାଙ୍କୁ ୧ ହଜାର କୋଟି ଟଙ୍କାର ମାନହାନୀ ଜନିତ କ୍ଷତିପୂରର୍ଣ ରାଶି ପାଇଁ ଦାବି କରାଯିବ ।

ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କୁ ମଧ୍ୟ ଆଇଏମଏ ଶାଖା ପକ୍ଷରୁ ଏନେଇ ଅବଗତ କରାଯାଇଛି । ବାବା ରାମଦେବଙ୍କ ଦାୟିତ୍ୱହୀନ ମନ୍ତବ୍ୟ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି । ଆଇଏମଏ ପକ୍ଷରୁ କୁହାଯାଇଛି ଯେ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେଆର୍ କରି ବାବା ରାମଦେବ ଏଲୋପାଥୀକୁ ଷ୍ଟୁପିଡ୍ ସାଇନ୍ସ ବା ଏକ ପ୍ରକାର ମୁର୍ଖାମୀ ବୋଲି କହିଥିଲେ । ସେହିପରି କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହୃତ ରେମଡେସିଭିର୍, ଫାବିଫ୍ଲୁ ଭଳି ଆଦି ମେଡିସିନକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ସ୍ୱୀକୃତ ଦେଇଥିବାବେଳେ ଏସବୁ ବିଫଳ ହୋଇଥିବା ବାବା ରାମଦେବ କହିଥିଲେ । ଏହାପରେ ଆଇଏମଏର ଡାକ୍ତର ସମୂହ, ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲର ଘରୋଇ ଡାକ୍ତର ସଂଗଠନ ପକ୍ଷରୁ ଯୋଗଗୁରୁ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ଦୁଃଖ ପ୍ରକାଶ କରିବା ସହ ଯୋଗଗୁରୁଙ୍କ ଏଭଳି ମନ୍ତବ୍ୟ ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ । ଏଥିସହ ତୁରନ୍ତ ଏଭଳି ମତ ପ୍ରତ୍ୟାହାର ପାଇଁ ବାବା ରାମଦେବଙ୍କୁ ପରାମର୍ଶ ଦେଇଥିଲେ । ବାବା ରାମଦେବ ମଧ୍ୟ ନିଜ ଭୁଲ୍ ସ୍ୱୀକାର କରିଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.