fbpx

ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ଚିନ୍ତାରେ ଚାଷୀ, ମରୁଡ଼ି ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରେ ଲାଗିଛି । ସପ୍ତାହେ ହେବ ବର୍ଷାର ଦେଖାନାହିଁ । ଧାରା ଶ୍ରାବଣରେ ଡହଡହ ଖରା । ବହୁ ସ୍ଥାନରେ ଚାଷଜମି ଫାଟିଗଲାଣି । ତଳି ଜଳିଗଲାଣି । ଗଜା ମରୁଡ଼ିର ଆଶଙ୍କା ଦେଖାଦେଲାଣି । ଏସବୁ ଭିତରେ ଚାଷୀ ବର୍ଷା ପାଇଁ ଆକାଶକୁ ଡହଳବିକଳ ହୋଇ ଚାହିଁଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଯେଉଁ ତଥ୍ୟ ଦେଇଛି ତାହା ଚାଷୀକୁଳର ନିଦ ହଜାଇ ଦେଇଛି । ଅଗଷ୍ଟ-ସେପ୍ଟେମ୍ବରରେ ନିଅଣ୍ଟିଆ ବର୍ଷା ହେବ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି ।

ଅଗଷ୍ଟରେ ୪୦% ନିଅଣ୍ଟିଆ ବର୍ଷାର ସମ୍ଭାବନା ରହିଥିବାବେଳେ ସେପ୍ଟେମ୍ବରରୁ ନିଅଣ୍ଟିଆ ବର୍ଷାରୁ ମୁକୁଳିବାର ସମ୍ଭାବନା କମ୍ । ଯଦି IMDର ଏହି ଆକଳନ ସତ୍ୟ ହୁଏ, ତେବେ ଚାଷଜମି ଶୁଖିଯିବ ଓ ଚାଷୀମାନେ ବିପଦରେ ପଡ଼ିବା ସହ ମୁଣ୍ଡରେ ହାତ ଦେଇ ବସିବେ । ପ୍ରଥମରୁ ବିଳମ୍ବିତ ମୌସୁମୀ ପାଇଁ ଚାଷକାମ ଡେରିରେ ଆରମ୍ଭ କରାଯାଇଥିଲା । ଆଉ ଏବେ ବିଲରେ ତଳି ପଡ଼ିଥିବାବେଳେ ବର୍ଷା ଉଭାନ ହୋଇଯିବାରୁ ଚାଷୀମାନେ ସନ୍ଦେହ ଭିତରେ ପଡ଼ିଛନ୍ତି ।

IMDର ରିପୋର୍ଟ ଅନୁଯାୟୀ ଅଗଷ୍ଟ ମାସରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ବଲାଙ୍ଗିର ଓ ଝାରସୁଗୁଡ଼ାରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଅବଶିଷ୍ଟ ୨୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ମଧ୍ୟ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ କହିଛନ୍ତି, ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଥିଲେ ମଧ୍ୟ ଅତି ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ନାହିଁ । ଚଳିତ ମାସ ୧୧ ତାରିଖପର୍ଯ୍ୟନ୍ତ ବର୍ଷା ପରିମାଣ ସ୍ୱାଭାବିକ ଠାରୁ କମ୍ ରହିବ । ମୌସୁମୀର ନିମ୍ନ ଚାପରେଖାର ଉତ୍ତରାୟଣ ଯୋଗୁଁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଛି ।

ଫଳରେ ୨୬ ଜୁଲାଇରୁ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ବହୁ କମ୍ ବର୍ଷା ହୋଇଛି । ଫଳରେ ଗରମ ସହ ଗୁଳଗୁଳି ହେଉଛି । ଆଇଏମ୍ଡିର ପୂର୍ବାନୁମାନ ଅନୁସାରେ ଦେଶରେ ଅଗଷ୍ଟ ଓ ସେପ୍ଟେମ୍ବର ୨ ମାସ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏହି ସମୟରେ ୯୪ରୁ ୧୦୬% ବର୍ଷା ହେବାର ସମ୍ଭାବନା ରହିଛି । ଦେଶର ପଶ୍ଚିମ ତଟ, ପଶ୍ଚିମ ମଧ୍ୟଭାବ ଓ ଉତ୍ତର-ପଶ୍ଚିମ ଭାରତକୁ ଛାଡ଼ି ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ବା ସ୍ୱାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି । ତେବେ ଓଡ଼ିଶା ସମେତ ପୂର୍ବ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ନେଇ ଆଇଏମ୍ଡି ସତର୍କ କରାଇ ଦେଇଛି ।

Get real time updates directly on you device, subscribe now.