ମୁସଲିମ ବ୍ୟକ୍ତିଙ୍କୁ ବିବାହ କରିବା ଅର୍ଥ ହିନ୍ଦୁ ଧର୍ମ ପରିତ୍ୟାଗ ନୁହେଁ : ହାଇକୋର୍ଟ

ମୁସଲିମଙ୍କୁ ବିବାହ କରିବା ଅର୍ଥ ନୁହେଁ ଇସଲାମ ଧର୍ମରେ ପରିବର୍ତ୍ତିତ ହୋଇଯିବା: କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କୌଣସି ମହିଳାଙ୍କ ଧର୍ମ ତାଙ୍କ ବିବାହକୁ ଆଧାର କରି ନିର୍ଣ୍ଣୟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଜଣେ ହିନ୍ଦୁ ମହିଳା ଯଦି ମୁସଲିମ ପୁରୁଷଙ୍କୁ ବିବାହ କରନ୍ତି ତାହେଲେ ଆପଣାଛାଏଁ ତାଙ୍କ ଧର୍ମ ପରିବର୍ତ୍ତନ ହୋଇ ଇସଲାମ ଧର୍ମ ହୋଇପାରିବ ନାହିଁ।

ଭାଗବଣ୍ଟାକୁ ନେଇ ଏଭଳି ଏକ ମାମଲା ୨୦୦୭ ମସିହାରେ କୋର୍ଟକୁ ଆସିଥିଲା। ତଦନୁଯାୟୀ ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀର ବଡ଼ ଝିଅ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ଦୁଇ ପୁଅଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। କାରଣ ଏଚୟୁଏଫ୍ ନିୟମ ଅନୁଯାୟୀ ପିତାଙ୍କ ସମ୍ପତ୍ତିରେ ପ୍ରଥମ ସ୍ତ୍ରୀଙ୍କ ଝିଅମାନଙ୍କର ଭାଗଥିବା ନେଇ ମାମଲା ଦାୟର କରାଯାଇଥିଲା।

୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନ କାର୍ଯ୍ୟକାରୀ ହେବା ପରେ ପରିବାରର ସମ୍ପତ୍ତିରେ ଝିଅମାନଙ୍କର ମଧ୍ୟ ସମାନ ଅଧିକାର ଥିବା କଥା ସ୍ପଷ୍ଟ କରାଯାଇଥିଲା। ଯାହାକୁ କେନ୍ଦ୍ର କରି ପ୍ରଥମ ସ୍ତ୍ରୀଙ୍କ ଝିଅମାନେ ସମ୍ପତ୍ତିର ୧/୫ ଅଂଶ ଦାବି କରିଥିଲେ।

ମାମଲାକୁ କେନ୍ଦ୍ର କରି ଝିଅର ବାପା ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅମାନେ ଦାବି କରିଥିଲେ ଯେ ବଡ଼ ଝିଅ ହିନ୍ଦୁ ନୁହେଁ। କାରଣ ସେ ୟୁନାଇଟେଡ କିଙ୍ଗଡମରେ ଜଣେ ପାକିସ୍ତାନୀ ମୁସଲିମକୁ ବିବାହ କରିସାରିଛନ୍ତି। ବିବାହ ପରେ ଇସଲାମ ଧର୍ମରେ ପରିବର୍ତ୍ତିତ ହୋଇସାରିଛନ୍ତି। ଫଳରେ ତାଙ୍କର ଏଚୟୁଏଫ୍ ସମ୍ପତ୍ତିରେ ଭାଗ ନାହିଁ ବୋଲି ସେମାନେ ଯୁକ୍ତି କରିଥିଲେ।

ଜଷ୍ଟିସ୍ ଜସମିତ ସିଂହ କହିଛନ୍ତି ଯେ ବଡ଼ ଝିଅ ହିନ୍ଦୁ ଧର୍ମ ଛାଡି ଇସଲାମ ଗ୍ରହଣ କରିଥିବାର କୌଣସି ଠୋସ ପ୍ରମାଣ ନାହିଁ। ଏହି ମାମଲାରେ ମହିଳା ଜଣକ ତାଙ୍କ ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି ଯେ ସେ ବିବାହ ପରେ ମଧ୍ୟ ତାଙ୍କର ଧର୍ମ ପରିବର୍ତ୍ତନ କରିନାହାଁନ୍ତି ଏବଂ ସେ ହିନ୍ଦୁ ଧର୍ମ ହିଁ ପାଳନ କରିଆସୁଛନ୍ତି।

ତେବେ ଏହା ଉପରେ କୋର୍ଟ କହିଛନ୍ତି, ଜଣେ ହିନ୍ଦୁ, ମୁସଲିମ ବ୍ୟକ୍ତିଙ୍କୁ ବିବାହ କରିବା ଅର୍ଥ ହିନ୍ଦୁ ଧର୍ମ ପରିତ୍ୟାଗ ନୁହେଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ବଡ଼ ଝିଅ ହିନ୍ଦୁ ଧର୍ମ ପାଳନ କରିଆସୁଛନ୍ତି ତେଣୁ ଏଚୟୁଏଫ୍ ସମ୍ପତ୍ତିରେ ତାଙ୍କର ମଧ୍ଯ ଭାଗ ରହିଛି।