fbpx

ନଭେମ୍ବରରେ କଠିନ ପରୀକ୍ଷାର ସାମ୍ନା କରିବେ ଦିଲ୍ଲୀବାସୀ, ଶୀର୍ଷ ସ୍ତରରେ ପହଞ୍ଚିବ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ:ପୁଣି ଦିଲ୍ଲୀବାସୀଙ୍କ ଲାଗି ସେହି ଜଟିଳ ସମୟ ଆସିବାକୁ ଯାଉଛି ଯେତେବେଳେ କି ପ୍ରଦୂଷଣର ପ୍ରଭାବରେ ଦିଲ୍ଲୀର ବାୟୁମଣ୍ଡଳ ଏତେମାତ୍ରାରେ ବିଷାକ୍ତ ହୋଇଯିବ ଯେ, ନିଃଶ୍ୱାସ ପ୍ରଶ୍ୱାସ ନେବା ବି କଷ୍ଟକର ହୋଇଯିବ । ଗତ ବର୍ଷ ଅର୍ଥାତ୍ ୨୦୨୨ରେ ଦିଲ୍ଲୀର ବାୟୁମଣ୍ଡଳର ଗୁଣବତ୍ତାରେ ଆଶ୍ଚର୍ଯ୍ୟଜନକ ସୁଧାର ଆସିଥିଲା । କିନ୍ତୁ ଚଳିତ ବର୍ଷ ଦିଲ୍ଲୀବାସୀଙ୍କୁ ବହୁତ ଜଟିଳ ସମସ୍ୟାର ସାମ୍ନା କରିବାକୁ ପଡିବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ ବାଣୀ ଶୁଣାଇ ସାରିଲେଣି । କାରଣ ଏଥର ଦଶହରା ଓ ଦୀପାବଳିରେ ଫସଲ କଟାଯିବାର ସମୟ ଥିବାରୁ ପ୍ରଦୂଷଣ ଅଧିକ ରହିବ ବୋଲି କୁହାଯାଉଛି ।

ଗତ ବର୍ଷ ଦୀପାବଳି ଶୀଘ୍ର ଅର୍ଥାତ୍ ଅକ୍ଟୋବରରେ ହିଁ ପଡିଥିଲା । ଏହି ସମୟରେ ଶୀତ ଠିକ୍ ଭାବରେ ଆସି ନ ଥିଲା ଓ ନଡା ଜଳାଇବା ବି ଆରମ୍ଭ ହୋଇ ନ ଥିଲା । ୨୦୨୨ରେ ପାଣିପାଗ ବି ଅସ୍ୱଭାବିକ ଥିଲା । ଶୀତ ବିଳମ୍ବରେ ଆସିଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ବି ଜଳବାୟୁ ଗରମ ରହିଥିଲା । ବାୟୁର ଗୁଣବତ୍ତା ଓ ପାଣିପାଗ ଗବେଷଣା ସଂସ୍ଥା ସଫରର ସଂସ୍ଥାପକ ତଥା ପରିଯୋଜନା ନିର୍ଦ୍ଦେଶକ ଡା.ଗୁଫରାନ ବାଗ କହିଛନ୍ତି ୨୦୨୨ର ଜଳବାୟୁ ଅସାଧାରଣ ଥିଲା । ପ୍ରଦୂଷଣ ନିୟନ୍ତ୍ରଣ ଉପାୟ ଗୁଡିକ କାମ କରିବା ସହ ମୌସୁମୀର ସ୍ଥିତି ମଧ୍ୟ ଅନୁକୂଳ ଥିଲା । ଫଳରେ ଉତ୍ତର ପଶ୍ଚିମ ଭାରତରେ ବାୟୁର ଗୁଣବତ୍ତାକୁ ଆହୁରି ଅଧିକ ଖରାପ ନ ହେବା ଦିଗରେ ପଦକ୍ଷେପ ସବୁ ଫଳବତୀ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଜଳବାୟୁ ସମ୍ବନ୍ଧିତ କାରକ ଅନୁକୂଳ ନାହିଁ ।

ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ମଧ୍ୟ ସୁଦ୍ଧା ପ୍ରାୟତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ ଅପସରି ଯାଇଥାଏ । ଡା. ବାଗ କହିଛନ୍ତି ଯେତେ ଯେତେ ବାୟୁ ସ୍ଥିର ହୋଇଯିବ ପ୍ରଦୂଷକ ତତ୍ତ୍ୱ ବାୟୁମଣ୍ଡଳରେ ଜମା ହେବାର ସମ୍ଭାବନା ସେତେସେତେ ବଢିଯାଏ । ଏଣୁ ମୌସୁମୀର ପଳାୟନ ଦିଲ୍ଲୀରେ ବାୟୁର ଗୁଣବତ୍ତା ହ୍ରାସ ସହ ଜଡିତ । ମୌସୁମୀ ଏବେ ବି ଉତ୍ତର ପଶ୍ଚିମ ଭାରତରୁ ସଂପୂର୍ଣ୍ଣ ଅପସରି ଯାଇ ନାହିଁ । ଯେ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ସେ ପର୍ଯ୍ୟନ୍ତ ବାୟୁର ଗତି ମଧ୍ୟମ ରହିବ ଓ ଗୁଣବତ୍ତା ବି ଭଲ ରହିବ । କିନ୍ତୁ ଅକ୍ଟୋବର ଶେଷ ବେଳକୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବ ଓ ନଭେମ୍ବରରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.