ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଦୂଷଣ ସ୍ତର ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୀପାବଳି ଦିନ ଧୂଆଁମୟ ହୋଇଯାଇଥିଲା ଦିଲୀର ବାତାବରଣ । ବର୍ତ୍ତମାନ ଏହା ପୁଣି ଥରେ ଦୀଲ୍ଲୀବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(CPCB)ର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ୨୪ ଘଣ୍ଟାରେ ହାରାହାରି ପ୍ରଦୂଷଣ ବୃଦ୍ଧି ପାଇ AQI ସ୍ତର ୩୫୯ରେ ପହଂଚିଥିଲା ।
ଦିଲ୍ଲୀରେ ଅତସବାଜି ଯୋଗୁଁ ବାତାବରଣ ଧୂଆଁମୟ ହୋଇଯାଇଥିଲା । ସ୍ୱଷ୍ଟ ଭାବେ କିଛି ଦୃଶ୍ୟମାନ ହେଉନଥିଲା । ଦିଲ୍ଲୀର ଅନେକ ସ୍ଥାନରେ PM ସ୍ତର (୨.୫)ର ଦୁଇ ଗୁଣା ବୃଦ୍ଧି ପାଇଥିଲା । ତେବେ ଶୁକ୍ରବାର ସକାଳେ ୬ଟା ପର୍ଯ୍ୟନ୍ତ ଦିଲ୍ଲୀର ନେହରୁ ନଗର, ପଟପଡ଼ଗଞ୍ଜ, ଅଶୋକ ବିହାର ଏବଂ ଅଖୋଲାରେ ଇଛଓ ସ୍ତର ୩୫୦ରୁ ୪୦୦ ମଧ୍ୟରେ ରହିଥିଲା । ଅଲିପୁର(୩୫୦), ଆନନ୍ଦ ବିହାର(୩୯୬), ଅଶେକ ବିହାର(୩୮୪), ଆୟା ନଗର(୩୫୨), ବୱାନା(୩୮୮), ଚାନ୍ଦନୀ ଚୌକ(୩୩୬), ଦିଲଶାଦ ଗାର୍ଡ଼େନ(୨୫୭), ନର୍ଥ କ୍ୟାମ୍ପସ(୩୯୦), ପଞ୍ଜାବୀ ବାଗ୍(୩୯୧), ସୋନିଆ ବିହାର(୩୯୨), ଅରବିନ୍ଦ ମାର୍ଗ(୩୧୨), ନଜଫଗଡ଼(୩୨୯), ନରେଲା(୨୮୮), ଲୋଧୀ ରୋଡ୍(୩୫୨) ଆଦି ସ୍ଥାନରେ AQI ସ୍ତର ବିଗିଡ଼ିଥିଲା । ବିବେକ ବିହାରରେ AQI ସ୍ତର ୧୮୦୦ ମାଇକ୍ରୋଗ୍ରାମ/ମିଟର କ୍ୟୁବ୍ ପର୍ଯ୍ୟନ୍ତ ପହଂଚିଥିଲା ଯାହା ନିର୍ଦ୍ଧାରିତ ସୀମାରୁ ଅଧିକ । ସେହିପରି ନେହରୁ ନଗର ଏବଂ ପଟପଡ଼ଗଞ୍ଜରେ ବିଳମ୍ବିତ ରାତି ପର୍ଯ୍ୟନ୍ତ AQI ସ୍ତର ୧୫୦୦ ମାଇକ୍ରୋଗ୍ରାମ/ମିଟର କ୍ୟୁବ୍ ରେକର୍ଡ଼ କରାଯାଇଥିଲା ଯାହା PM ସ୍ତରରୁ ୨୫ ଗୁଣା ଅଧିକ ।
କହିରଖୁଛୁ ଦୀପାବଳି ଦିନ ଦିଲ୍ଲୀର ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଲ ରାୟ ରାଜଧାନୀରେ ବାଣ ଉପରେ କଟକଣା ଲଗାଇବା ପାଇଁ ୩୭୭ ଟିମ୍ ଗଠନ କରିଥିଲେ । ଏହାର ମୂଳ ଉଦ୍ଦେଶ୍ୟ ଥିଲା ରାଜଧାନୀରେ କେହି ବାଣ ନଫୁଟାଇବାକୁ ସୁନିଶ୍ଚିତ କରିବା । କିନ୍ତୁ ଏହା ସତ୍ତ୍ୱେ ଲୋକମାନେ ଧୁମଧାମରେ ଦୀପାବଳି ପାଳନ କରିଥିଲେ ଯାହା ଦିଲ୍ଲୀର ପ୍ରଦୂଷଣ ସ୍ତର ବୃଦ୍ଧି କରିଥିଲା ।