fbpx

ଆଗକୁ ଭୟଙ୍କର ରୂପ ଧାରଣ କରିବ ଡେଲଟା, ଡେଲଟା ପ୍ଲସ୍ ଚିନ୍ତାଜନକ ନୁହେଁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଭାରତବର୍ଷରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ବର୍ତ୍ତମାନ ସମଗ୍ର ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ନିଜର କାୟା ମେଲାଇ ସାରିଛି । ୯୬ଟି ଦେଶରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ତେବେ ଆଗକୁ ଡେଲଟା ଭୟଙ୍କର ରୂପ ଧାରଣ କରିବ ବୋଲି ଆଶା କରାଯାଉଛି । ତେଣୁ ସତର୍କ ରହିବାକୁ ହୁ ଚେତାବନୀ ଦେଇଛି ।

ହୁ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଦେଶମାନଙ୍କରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି, ସେଠାରେ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ସଂକ୍ରମଣ ଚିହ୍ନଟ ହେଉଛି । ତେବେ ପୂର୍ବରୁ ଚିହ୍ନଟ ହୋଇଥିବା ସମସ୍ତ ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ଘାତ ହୋଇପାରେ । ଏହାକୁ ରୋକିବାକୁ ହେଲେ ଉପଯୁକ୍ତ ପଦକ୍ଷେପ ନେବା ଦରକାର । ଆଲଫା ଭାରିଆଣ୍ଟ ୧୭୨ଟି ଦେଶରେ, ବିଟା ଭାରିଆଣ୍ଟ ୧୨୦ଟି ଦେଶରେ ଓ ଗାମା ଭାରିଆଣ୍ଟ ୭୨ଟି ଦେଶରେ ମିଳିଛି । ଆଲଫା ଠାରୁ ଡେଲଟା ଭାରିଆଣ୍ଟ ୫୫ ପ୍ରତିଶତ ଅଧିକ ଭୟଙ୍କର ଭାବେ ସଂକ୍ରମଣ ବଢ଼ାଉଛି । ବ୍ରିଟେନରେ ଏବେ ସଂକ୍ରମିତଙ୍କ ମଧ୍ୟରୁ ୯୦ ପ୍ରତିଶତ ଡେଲଟାରେ ସଂକ୍ରମିତ ହୋଇଛନ୍ତି । ଯଦି ହେଲଟା ଊଦ୍ଧ୍ୱର୍ମୁଖୀ ହୁଏ, ତେବେ ଅର୍ଥନୀତି ପୁଣି ଥରେ ବିଗିଡ଼ିବାର ସମ୍ଭାବନା ରହିଛି । ତେଣୁ ଏହାକୁ ରୋକିବାକୁ ହେଲେ ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳମାନଙ୍କୁ କଣ୍ଟେନମେଣ୍ଟ ଜୋନ କରିବା ସହ କଟକଣା ଲାଗୁ ହେବା ଆବଶ୍ୟକ ।

ହୁର ଚିଫ୍ ସାଇଣ୍ଟିଷ୍ଟ କହିଛନ୍ତି ଯେ, ଭାରତରେ ଡେଲଟା ପ୍ଲସ୍ ଭାରିଆଣ୍ଟ ସେତେ ଚିନ୍ତାଜନକ ନୁହେଁ । ଏଥିରେ କମ୍ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଡେଲଟା ପ୍ଲସକୁ ନେଇ ଭୟଭୀତ କିମ୍ବା ଚିନ୍ତିତ ହେବା ଦରକାର ନାହିଁ । ମଧ୍ୟପ୍ରଦେଶରେ ଜୁନ ମାସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୦୦ ପ୍ରତିଶତ ଲୋକ ଡେଲଟା କବଳରେ ରହିଛନ୍ତି । ନମୂନା ପରୀକ୍ଷଣରୁ ଜଣାପଡ଼ିଛି ଯେ, ଗତ ଏପ୍ରିଲରେ ୫୭ ପ୍ରତିଶତ, ମେ’ରେ ୬୯ ପ୍ରତିଶତ ଓ ଜୁନରେ ୧୦୦ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଡେଲଟା ପ୍ଲସ୍ ଅଧିକ ଭୟଙ୍କର ହେବ ନାହିଁ ବୋଲି ମଧ୍ୟ କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ସେ କହିଛନ୍ତି ଯେ, ଡେଲଟା ପ୍ଲସର ସଂକ୍ରମଣ ଯେ ମୃତ୍ୟୁର କାରଣ ସାଜିବ, ସେନେଇ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ । ଯଦି ଠିକ ଭାବେ କରୋନା କଟକଣା ମାନିବା ସହ ଲୋକମାନେ ସଚେତନ ହେବେ, ତେବେ ପ୍ରତ୍ୟେକ ଭାରିଆଣ୍ଟିକୁ ମାତ୍ ଦେବା ସମ୍ଭବ । ତେବେ ଦେଶରେ ତୃତୀୟ ଲହର ଆସିନପାରେ । ଯଦି ଆସିବ, ତେବେ ତାହା ଦ୍ୱିତୀୟ ଲହର ପରି ଭୟଙ୍କର ହେବ ନାହିଁ ବୋଲି ସେ ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.