ନୂଆଦିଲ୍ଲୀ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରାଜ୍ୟ ବିଜେପିର ବଡ଼ ଚେହେରା ଦେବେନ୍ଦ୍ର ଫଡନାବିସ୍ । ଏନଡିଏ ବୈଠକରେ ଫଡନାବିସଙ୍କୁ ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି । ଏହା ଫଳରେ ପାଖାପାଖି ୨ ସପ୍ତାହ ଧରି ମୁଖ୍ୟମନ୍ତ୍ରୀ ଗାଦିକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ବିରାମ ଲାଗିଛି । ତେବେ ଏଠାରେ ମହାରାଷ୍ଟ୍ର ରାଜନୀତିରୁ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ୨୦୨୨ ମସିହାରେ ଶିବସେନାରୁ ଆସି ବିଜେପି ସହ ମେଣ୍ଟ କରିଥିବା ଏକନାଥ ଶିନ୍ଦେଙ୍କ ପାଖରେ କମ୍ ବିଧାୟକ ଥିଲେ । ତା’ପରେ ବି ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଥିଲା ।
ଏଥର ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନରେ ଜିତିଥିବା ବେଳେ ଶିବସେନା ୫୭ଟି ଆସନ ପାଇଥିଲା । ବିହାରରେ ନୀତିଶ କୁମାର କମ୍ ଆସନରେ ଜିତିଥିଲେ ବି ସେଠାରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ବାଧ୍ୟ ହୋଇଥିଲା । ମାତ୍ର ମହାରାଷ୍ଟ୍ରରେ ସେହି ଫର୍ମୂଲା କେମିତି ବଦଳିଗଲା? ଏକଦା ଡେପୁଟି ସିଏମ୍ ଥିବା ଫଡନାବିସ ଏବେ ପ୍ରମୋସନ ପାଇଁ ସିଏମ୍ ହୋଇଥିବା ବେଳେ ଏକଦା ସିଏମ୍ ଥିବା ଶିନ୍ଦେ ଏବେ ଡେପୁଟୀ ଦାୟିତ୍ୱ ତୁଲାଇବେ । ତେବେ ଏହା ପଛରେ ଅନେକ କାରଣ ଲୁଚି ରହିଛି ।
ଏକନାଥଙ୍କ ଶିବସେନା ଜିତିଥିବା ୫୭ଟି ଆସନ ମଧ୍ୟରୁ ୧୪ ଜଣ ବିଧାୟକ ଭାରତୀୟ ଜନତା ପାର୍ଟିର ସମର୍ଥିତ ଅଟନ୍ତି । ଜିତିଥିବା ୬ ବିଧାୟକ ଘୋଷିତ ଭାବେ ବିଜେପିର ହିଁ ଅଟନ୍ତି । ନିର୍ବାଚନ ପୂର୍ବରୁ ଶିନ୍ଦେ ଯେଉଁ ୪ ସ୍ୱାଧୀନ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲେ, ସେ କ୍ଷେତ୍ରରେ ବି ବିଜେପିର ହିଁ ହାତ ଥିଲା । ୨୦୨୨ରେ ବିଜେପି କ୍ଷମତାଠାରୁ ଦୂରେଇ ଥିବାରୁ ଶିନ୍ଦ୍ରେ ଗେରୁଆ ଦଳ ଉପରେ ସିଏମ୍ ହେବା ପାଇଁ ଚାପ ପକାଇଥିଲେ । ମାତ୍ର ଏନସିପି ଛାଡ଼ି ଅଜିତ ପାୱାର ବିଜେପି ସହ ହାତ ମିଳାଇବା ପରେ ରାଜ୍ୟର ସମୀକରଣ ବଦଳି ଯାଇଥିଲା ।
ପରବର୍ତ୍ତୀ ସମୟରେ ଶିନ୍ଦେ ବିଜେପି ଉପରେ ଚାପ ପକାଇବାରେ ବିଫଳ ହୋଇଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ୧୩୨ଟି ଆସନରେ ଜିତିଥିବା ବେଳେ ଅଜିତଙ୍କୁ ୪୧ଟି ଆସନ ଓ ଏକନାଥଙ୍କୁ ୫୭ଟି ଆସନ ମିଳିଥିଲା । ତେଣୁ ଅଜିତ ଓ ଶିନ୍ଦେଙ୍କ ମଧ୍ୟରୁ ଜଣେ ହଟିଗଲେ ବି ବିଜେପି ଉପରେ ସରକାର ଗଠନ ପାଇଁ କୌଣସି ପ୍ରଭାବ ପଡ଼ିବନି । ତେଣୁ ଏହି ଦୁଇ ନେତାଙ୍କର ଡାଉନଫଲ ହୋଇଥିବା ବେଳେ ବିଜେପିର ବଡ଼ ନେତା ଫଡନାବିସ୍ ଆଗକୁ ବଢ଼ିପାରିଥିଲେ । ସେହିପରି ନିର୍ବାଚନ ପୂର୍ବରୁ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କୌଣସି ଘୋଷଣା କରାଯାଇ ନଥିଲା, ଯାହାର ଫାଇଦା ନିର୍ବାଚନ ପରେ ନେଇଥିଲା ବିଜେପି । ୨୦୨୪ ବିଧାନସଭା ନିର୍ବାଚନରେ ବିଜେପି ଫଡନାବିସଙ୍କ ଆଗକୁ ଆଣିଥିଲା ଓ ସେ ପାଖାପାଖି ୫୬ଟି ରାଲି କରିଥିଲେ । ନିର୍ବାଚନ ପୂର୍ବରୁ ନିଜ ଚେହେରାକୁ ଆଗକୁ ଆଣିନଥିଲେ ଶିନ୍ଦେ, ଯାହାର ଫଳ ସେ ଏବେ ପାଇଛନ୍ତି । ଏପରି ସ୍ଥିତିରେ ବିଜେପିର ସିକ୍ରେଟ୍ ରଣନୀତି ପାଇଁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ଫଡନାବିସ ପୁଣି ଥରେ ମହାରାଷ୍ଟ୍ରର କମାଣ ଧରିବାକୁ ସକ୍ଷମ ହୋଇଛନ୍ତି ।