ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଅନୁଦାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି । ବରଗଡ଼ ଧନୁଯାତ୍ରାରେ ସାମିଲ ହୋଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପୂର୍ବରୁ ଏହି ରାଶି ୧୦ ଲକ୍ଷ ଟଙ୍କା ଥିଲା । ବର୍ତ୍ତମାନ ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ ।
ଧନୁଯାତ୍ରା ବୁଲିଲେ ମୁଖ୍ୟମନ୍ତ୍ରୀ: ମଥୁରାନଗରୀ(ବରଗଡ଼)ର ମୁଖ୍ୟ ରାସ୍ତାରେ ହାତୀ ଉପରେ ବସି ମୁଖ୍ୟ ମଞ୍ଚକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କୁ ଦେଖି ବରଗଡ଼ ଧନୁଯାତ୍ରା କମିଟି ତଥା ସାଧାରଣ ଜନତାଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିଲା ।
‘ଭବ୍ୟ, ଦିବ୍ୟ ବିଶ୍ୱସ୍ତରୀୟ ରଂଗମଞ୍ଚରେ ଉପସ୍ଥିତ ଥିବାରୁ ମୁଁ ଧନ୍ୟ ମନେ କରୁଛି । ବରଗଡ଼ ଧନୁଯାତ୍ରା ସମଗ୍ର ଓଡ଼ିଶାର ସ୍ୱାଭିମାନ, ନିଆରା ପରିଚୟ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।’
ନିର୍ମାଣ ହେବ ରାଜମହଲ: ବରଗଡ଼ ସହରରେ ଚିତ୍ତାକର୍ଷକ ସ୍ଥାୟୀ ରାଜମହଲ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରାୟ ୧୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ରାଜମହଲ ।
ଜିରା ନଦୀରେ ୮୦ କୋଟି ବ୍ୟୟରେ ଆନିକଟ୍ ନିର୍ମାଣ ହେବ । ଏହା ସହ ବରଗଡ଼ କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ: ବରଗଡ଼, ସମ୍ବଲପୁରରେ ବି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ।