fbpx

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଘୋଷଣା ହେଲା ଧର୍ମପଦ ପୁରସ୍କାର, ଜାଣନ୍ତୁ କେଉଁମାନଙ୍କୁ ମିଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଧର୍ମପଦ ପୁରସ୍କାର’ ଘୋଷଣା କରାଯାଇଛି । ପୂର୍ବରୁ ଗତ ୩ ତାରିଖରେ ବାଲୁକା ଶିଳ୍ପୀ ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ, ବନବିହାରୀ ପରିଡ଼ା, ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ରାମକୃଷ୍ଣ ସାହୁ, ଲଳିତ କଳା ଏକାଡେମୀ ସଚିବ ପଞ୍ଚାନନ ସାମଲ ରହିଥିଲେ ।

ତେବେ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ପ୍ରଦାନ ସହ ଅନ୍ୟ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର । ଏଥିସହିତ ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଣା, ପଞ୍ଚାନନ ସୁର, ଦୁର୍ଗାଚରଣ ପଣ୍ଡା, ଦେବେନ୍ଦ୍ର ମିଶ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ ।

ତେବେ ଧର୍ମପଦ ପୁରସ୍କାର ବାବଦ ୫ ଲକ୍ଷ ଟଙ୍କା ଓ ସମ୍ବର୍ଦ୍ଧିତ ଶିଳ୍ପୀମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଏହି ପୁରସ୍କାର ଗତ ୨୦୨୦ ନଭେମ୍ବରରେ ପ୍ରଦାନ କରାଯାଇଥିଲା । ୨୦୧୬ ପାଇଁ ବନବିହାରୀ ପରିଡ଼ା, ୨୦୧୭ ପାଇଁ ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ପାଇଁ ଜଗଦୀଶ କାନୁନଗୋ, ୨୦୧୯ ପାଇଁ ବିନୋଦ ମହାରଣା ଓ ୨୦୨୦ ପାଇଁ ମହେନ୍ଦ୍ର ପ୍ରଦାନ ମହାପାତ୍ରଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।

Get real time updates directly on you device, subscribe now.