ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଗୋଟିଏ ପରେ ଗୋଟିଏ ରେକର୍ହ ସୃଷ୍ଟି କରୁଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀ । ସିଏସକେର ଅଧିନାୟକ ଭାବେ ୨୦୦ ତମ ମ୍ୟାଚ ଖେଳି ଏକ ବିରଳ ମାଇଲଷ୍ଟୋନ ସୃଷ୍ଟି କରିଥିଲେ କ୍ୟାପଟେନ କୁଲ ମାହି । ଏହାପରେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆଉ ଏକ ବିଶ୍ୱ ରେକର୍ଡକୁ ନିଜ ନାମରେ ଲେଖିଛନ୍ତି ସୁପରକିଙ୍ଗ । ଏହି ମ୍ୟାଚରେ ବିଶ୍ୱର ସର୍ବଶ୍ରେଷ୍ଠ ୱିକେଟ କିପର ଭାବରେ ସେ ନିଜ ନାମକୁ ଲିପିବଦ୍ଧ କରିବା ସହ ନୂଆ ଇତିହାସ ଲେଖିଛନ୍ତି ।
ଚେନ୍ନାଇ ବୋଲିଂ କରୁଥିବା ବେଳେ ଇନିଂସର ୧୩ତମ ଓଭରର ପଞ୍ଚମ ବଲରେ ବିଶ୍ୱ ଏକ ନୂଆ ଇତିହାସ ଦେଖିଛି । ମହୀଷ ତୀକ୍ଷଣାଙ୍କ ବଲକୁ ମାରିବାକୁ ଯାଇ ଧୋନୀଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ ହାଇଦ୍ରାବାଦର ଅଧିନାୟକ ଏଡେନ ମାର୍କରମ୍ । ତେବେ ତାଙ୍କର ଏହି କ୍ୟାଚ ମାହିଙ୍କୁ ସର୍ବଶ୍ରେଷ୍ଠ କିପରର ଉପଲବ୍ଧି ପ୍ରଦାନ କରିଛି । ମାର୍କରମଙ୍କ କ୍ୟାଚ ସହିତ ଧୋନୀ ଟି-୨୦ କ୍ରିକେଟ ଇତିହାସରେ ସବୁଠୁ ଅଧିକ କ୍ୟାଚ ନେଇଥିବା ୱିକେଟ କିପର ପାଲଟି ଯାଇଛନ୍ତି । କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ସବୁଠୁ ଅଧିକ କ୍ୟାଚ ଧରିବା ରେକର୍ଡରେ ସମସ୍ତଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ଆଜି ପର୍ଯ୍ୟନ୍ତ ସେ ମୋଟ ୨୦୮ ଜଣଙ୍କ କ୍ୟାଚ ନେଇ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ୨୦୦୬ ମସିହାରେ ଟି-୨୦ କ୍ରିକେଟରେ ପ।।ଦ ଥାପିଥିଲେ ଧୋନୀ । ତେବେ ୨୦୧୯ରୁ ସେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରୁ ଅବସର ନେଇ ସାରିଛନ୍ତି ।
ତେବେ ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ୱିକେଟ କିପର କ୍ୱିଣ୍ଟନ ଡି’ କକ୍ ୨୦୭ଟି କ୍ୟାଚ ନେଇଛନ୍ତି । ଏହାପରେ ୨୦୫ କ୍ୟାଚ ସହ ତୃତୀୟ ୱିକେଟ କିପର ଭାବରେ ଟିମ ଇଣ୍ଡିଆର ଭେଟେରାନ ୱିକେଟ କିପର ଦିନେଶ କାର୍ତ୍ତିକ ରହିଛନ୍ତି । ତେବେ ଚତୁର୍ଥରେ ପାକିସ୍ତାନର ପୂର୍ବତନ ଅଧିନାୟକ କମରନ ଆକମଲ(୧୭୨) ଏବଂ ପଞ୍ଚମରେ ୱେଷ୍ଟ ଇଣ୍ଡିଜର ପୂର୍ବତନ ଖେଳାଳି ଦିନେଶ ରାମଦୀନ ୧୫୦ଟି କ୍ୟାଚ ନେଇଛନ୍ତି ।