ଡିଜିଟାଲ ମିଡିଆକୁ ନିୟମରୁ ମୁକ୍ତ କରାଯାଇପାରିବ ନାହିଁ: I&B ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପାରମ୍ପରିକ ଛାପା ଓ ଟିଭି ମିଡିଆର ଡିଜିଟାଲ ବିଭାଗକୁ ନିୟମ ବାହାରେ ରଖାଯାଇ ପାରିବ ନାହିଁ ବୋଲି ସୂଚନା ଓ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଇନଫରମେସନ୍ ଟେକ୍ନୋଲୋଜି (ଇଣ୍ଟରମିଡ଼ିଆରି ଗାଇଡଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକସ୍ କୋଡ୍) ନିୟମ-୨୦୨୧ରେ ଡିଜିଟାଲ ଶାଖାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ନେଇ ମିଡିଆ ସଂସ୍ଥାମାନେ କରିଥିବା ଅନୁରୋଧକୁ ମନ୍ତ୍ରାଳୟ ପକ୍ଷରୁ ଅଗ୍ରାହ୍ୟ କରିଦିଆଯାଇଛି । ଇଣ୍ଡିଆନ ନ୍ୟୁଜ ପେପର ସୋସାଇଟି (ଆଇଏନଏସ) ଓ ନ୍ୟୁଜ୍ ବ୍ରଡକାଷ୍ଟିଂ ଆସୋସିଏସନ (ଏନବିଏ) ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା । ପାରମ୍ପରିକ ଛାପା ଓ ଟିଭି ନ୍ୟୁଜ୍ ମିଡିଆର ଡିଜିଟାଲ ମିଡିଆରେ ଉପସ୍ଥିତି ବିଷୟରେ ଚିଠିରେ ଉଲ୍ଲେଖ କରାଯାଇଥିଲା ।

ପୂର୍ବରୁ କେନ୍ଦ୍ର ସରକାର ଓଟିଟି ପ୍ଲାଟଫର୍ମ, ନ୍ୟୁଜ୍ ୱେବସାଇଟ ଓ ଡିଜିଟାଲ ମିଡିଆ ପବ୍ଲିଶର୍ସଙ୍କୁ ସମସ୍ତ ଆବଶ୍ୟକୀୟ ତଥ୍ୟ ଦାଖଲ କରିବାକୁ ୧୫ ଦିନର ମହଲତ ଦେଇଥିଲେ । ଇ-ମେଲ ଜରିଆରେ ତଥ୍ୟ ପ୍ରେରଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଡିଜିଟାଲ ନ୍ୟୁଜ୍ ମିଡିଆ ସହ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମକୁ ଉତ୍ତମ ଭାବେ ସଞ୍ଚାଳନ କରିବା ଲକ୍ଷ୍ୟ ନେଇ ଗତ ଫେବୃଆରୀ ୨୫ ତାରିଖରେ ସରକାର ନୂଆ ନିୟମ ଲାଗୁ କରିଥିଲେ । ଏଥିମାନେ ୩ ମାସ ସମୟ ଦିଆଯାଇଥିଲା । ଅବଧି ସରିଥିଲେ ମଧ୍ୟ ଡିଜିଟାଲ ମିଡିଆ ପବ୍ଲିଶର୍ସମାନେ ନିଜ ସଂସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ । ତେଣୁ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କୁ ୧୫ ଦିନର ଅତିରିକ୍ତ ସମୟ ପ୍ରଦାନ କରାଯାଇଥିଲା ।