fbpx

ଅପରିଷ୍କାର ମାସ୍କ ପିନ୍ଧିବା ଦ୍ୱାରା ବ୍ୟାପୁଛି ବ୍ଲାକ୍ ଫଙ୍ଗସ୍: ବିଶେଷଜ୍ଞ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଏହା ଦିନକୁ ଦିନ ମାରାତ୍ମକ ରୂପ ନେଉଛି । ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି । ଯାହା ଫଳରେ ଏବେ କରୋନା ଗ୍ରାଫ୍ ତଳକୁ ଖସୁଥିବା ଦେଖିବାକୁ ମିଳିଛି । ହେଲେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ବୋଝ ଉପରେ ନଳିତା ବିଡା ପରି ଏଭଳି ସଙ୍କଟ ସମୟରେ ବ୍ଲାକ ଫଙ୍ଗସ୍ ଆଉ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ମ୍ୟୁକୋରମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ କାରଣରୁ ବହୁ ଲୋକ ଦୃଷ୍ଟି ଶକ୍ତି ହରାଉଛନ୍ତି ଏବଂ ଲୋକମାନଙ୍କ ଜୀବନ ଚାଲି ଯାଉଛି । ବ୍ଲାକ ଫଙ୍ଗସ୍ କରୋନା ଭଳି ମାରାତ୍ମକ ହେଉଥିବାରୁ ଏହାକୁ ମଧ୍ୟ ବିଭିନ୍ନ ରାଜ୍ୟରେ ମହାମାରୀ ବୋଲି ଘୋଷଣା କରାଯାଇଛି । ତେବେ ବ୍ଲାକ ଫଙ୍ଗସ୍ ମାମଲା ବୃଦ୍ଧିକୁ ନେଇ ବିଶେଷଜ୍ଞ ମାନେ ଏକ ବଡ କାରଣ ଉପରୁ ପରଦା ହଟାଇଛନ୍ତି । ସେମାନଙ୍କ କହିବାମୁତାବକ ମାସ୍କ ଓଦା ରହିବା ବା ଆଦ୍ରତା କାରଣରୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବଢ଼ୁଛି ।

ରିସର୍ଚ୍ଚ ଅନୁସାରେ, ଯେତେବେଳେ ଆମେ ଗୋଟିଏ ମାସ୍କକୁ ଅନେକ ଦିନ ପର୍ଯ୍ୟନ୍ତ ନ ଧୋଇ ବାରମ୍ବାର ବ୍ୟବହାର କରୁଛେ । ତାଦ୍ୱାରା ସଂକ୍ରମଣ ବଢ଼ୁଛି ଏବଂ ଏହା ଆଖି ଉପରେ ଖରାପ ପ୍ରଭାବ ପକାଉଛି । ନ ଧୋଇବା ଦ୍ୱାରା ମାସ୍କରେ କ୍ରମାଗତ ଭାବରେ ଅପରିଷ୍କାର କଣିକା ଜନ୍ମ ନେଉଛନ୍ତି । ଏତଦ୍ ବ୍ୟତୀତ ମାସ୍କରେ ଆଦ୍ରତା ଥିବା କାରଣରୁ ମଧ୍ୟ ବ୍ଲାକ ଫଙ୍ଗସ୍ ବ୍ୟାପି ଥାଏ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି । ସେହିପରି ଏହି କାରଣ ବ୍ୟତୀତ ଆଉ ଏକ ମୁଖ୍ୟ କାରଣ ହେଲା ଅକ୍ସିଜେନ୍ । ଯେତେବେଳେ ଜଣେ କରୋନା ଆକ୍ରାନ୍ତକୁ ଚିକିତ୍ସା ସମୟରେ ଅଧିକ ଦିନ ପର୍ଯ୍ୟନ୍ତ ଅକ୍ସିଜେନ୍ ଦିଆଯାଏ । ସେତେବେଳେ କରୋନା ଆକ୍ରାନ୍ତକୁ ଷ୍ଟେରଏଡର ହାଇ ଡୋଜ୍ ଦିଆଯାଏ । ଏହା ଦ୍ଵାରା ରୋଗୀର ସୁଗାର ବୃଦ୍ଧି ପାଇ ସଂକ୍ରମଣ ହେବାର ସମ୍ଭାବନା ଥାଏ । ଏହାପରେ ଆକ୍ରାନ୍ତ ଜଣକ ସୁସ୍ଥ ହେବାର ପରବର୍ତ୍ତୀ ମୁହୁର୍ତ୍ତରେ ପୁଣିଥରେ ବ୍ଲାକ୍ ଫଙ୍ଗସର ଶିକାର ହୋଇଯାଏ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ବ୍ଲାକ୍ ଫଙ୍ଗସର ପ୍ରାରମ୍ଭିକ ଲକ୍ଷଣ ଗୁଡିକ ହେଉଛି ଆଖି ନାଲି ପଡିବା, ଆଖିରୁ ପାଣି ନିଗିଡିବା, ଏହାପରେ ଆଖିରେ ଧୀରେ ଧୀରେ କଷ୍ଟ ଅନୁଭବ ହେବା ଏବଂ ଦୃଷ୍ଟିଶକ୍ତି ଚାଲିଯିବା । ତେବେ ଏହି ଫଙ୍ଗସ୍ ସଂକ୍ରମଣର ଆରମ୍ଭ ନାକରୁ ହୋଇଥାଏ । ଏହାଦ୍ଵାରା ନାକରୁ ବ୍ରାଉନ କିମ୍ବା ନାଲି ରଙ୍ଗର ମ୍ୟୁକସ୍ ବାହାରିଥାଏ । ଏହାପରେ ଫଙ୍ଗସ୍ ଆଖି ଓ ପରେ ବ୍ରେନ୍ କୁ ସଂକ୍ରମିତ କରିଥାଏ । ଧୀରେ ଧୀରେ ଏହା ନର୍ଭସ୍ ସିଷ୍ଟମକୁ ସଂକ୍ରମିତ କରି ରୋଗୀର ଜୀବନ ନେଇଯାଏ । ଅନ୍ୟପକ୍ଷରେ ବର୍ଷା ଦିନେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରତିଦିନ ମାସ୍କକୁ ଡେଟଲରେ ଧୋଇ ଖରାରେ ଶୁଖାଇ ଏହାକୁ ପ୍ରେସ୍ କରି ପିନ୍ଧନ୍ତୁ ।

 

Get real time updates directly on you device, subscribe now.