ନୂଆଦିଲ୍ଲୀ: ଧନତେରାସ, ଦୀପାବଳି ପାଇଁ ସବୁଆଡେ ଖୁସିର ମାହୋଲ । ତେବେ ଏହି ସମୟରେ ସୁନା କିଣିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିବେଚନା କରିଥାନ୍ତି । ତେବେ ଦୀପାବଳି ପୂର୍ବରୁ ସୁନାର ମୂଲ୍ୟ ଏକ ନୂତନ ସର୍ବକାଳୀନ ସ୍ତରରେ ପହଞ୍ଚିଛି । ଲୋକଙ୍କ ଚାହିଦା ହେତୁ ଦିଲ୍ଲୀ ଏନସିଆରବଜାରରେ ସୁନା ମୂଲ୍ୟ 1000 ଟଙ୍କା ବୃଦ୍ଧି ହୋଇ 10 ଗ୍ରାମ ପିଛା 82,400 ଟଙ୍କା ମୂଲ୍ୟରେ ପହଞ୍ଚିଛି ।
ଅଲ୍ ଇଣ୍ଡିଆ ବୁଲିଅନ୍ ଆସୋସିଏସନ୍ ଅନୁଯାୟୀ, ଦିୱାଲୀ ପୂର୍ବରୁ ପ୍ରବଳ ଚାହିଦା ହେତୁ ଦିଲ୍ଲୀରେ 99.9 ପ୍ରତିଶତ ଶୁଦ୍ଧତାର ସୁନା ମୂଲ୍ୟ 1000 ଟଙ୍କା ବୃଦ୍ଧି ହୋଇ 10 ଗ୍ରାମ ପିଛା 82,400 ଟଙ୍କାରେ ପହଞ୍ଚିଛି। 99.5 ପ୍ରତିଶତ ଶୁଦ୍ଧତାର ସୁନା ମଧ୍ୟ 1000 ଟଙ୍କା ବୃଦ୍ଧି ପାଇ 10 ଗ୍ରାମ ପ୍ରତି 82,000 ଟଙ୍କା ମୂଲ୍ୟରେ ପହଞ୍ଚିଛି। । ଯଦି ଦେଖିବା ଏବା ପୂର୍ବରୁ ଅର୍ଥାତ୍ ଅକ୍ଟୋବର 29 ତାରିଖରେ 99.5 ଏବଂ 99.5 ପ୍ୟୁରିଟି ସୁନା 10 ଗ୍ରାମ୍ ପିଛା 81 ହଜାର 400 ଏବଂ 81 ହଜାର ରହିଥିଲା ।
ଏହି ସମୟରେ ସୁନାର ଅଧିକା ଡିମାଣ୍ଡ ରହିଥାଏ । ଯେତେ ଦାମ୍ ରହିଥିଲେ ମଧ୍ୟ ଲୋକେ ସୁନା କିଣିବା ପାଇଁ ପସନ୍ଦ କରିଥାନ୍ତି । ଏହା ଦ୍ବାରା ମଧ୍ୟ ଦରରେ ଅହେତୁକ ବୃଦ୍ଧି ହେଉଛି । ଏହା ବ୍ୟତୀତ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅନିଶ୍ଚିତତା ଏବଂ ବିଶ୍ବରେ ଉତ୍ତେଜନା ପରିବେଶ ଯୋଗୁଁ ମଧ୍ୟ ସୁନା ଦର ବୃଦ୍ଧି ହେବାର ଏକ ପ୍ରମୁଖ କାରଣ ଅଟେ । ଗତ ଏକ ବର୍ଷ ମଧ୍ୟରେ ସୁନା ଦର 35 ପ୍ରତିଶତ ବୃଦ୍ଧି ପାଇଛି । ଅକ୍ଟୋବର 29 ତାରିଖରେ 10 ଗ୍ରାମ ପ୍ରତି ସୁନା ମୂଲ୍ୟ 61,200 ଟଙ୍କା ଥିଲା, ଯାହା ବର୍ତ୍ତମାନ 10 ଗ୍ରାମ ପିଛା 82,400 ଟଙ୍କାରେ ପହଞ୍ଚିଛି ।
ରୂପା ମୂଲ୍ୟ ମଧ୍ୟ 1 ଲକ୍ଷ ଟଙ୍କା ଅତିକ୍ରମ କରିଛି । 1,300 ଟଙ୍କା ବୃଦ୍ଧି ସହିତ ରୂପା କିଲୋଗ୍ରାମ ପାଇଁ 1.01 ଲକ୍ଷରେ ପହଞ୍ଚିଥିବାବେଳେ ଗତ ବାଣିଜ୍ୟ ଅଧିବେଶନରେ ଏହାର ମୂଲ୍ୟ କିଲୋଗ୍ରାମ 99,700 ଟଙ୍କା ଥିଲା । ଗୋଟିଏ ବର୍ଷରେ ରୂପା ମୂଲ୍ୟ ମଧ୍ୟ 36 ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଅକ୍ଟୋବର 29 ରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା 74,000 ଟଙ୍କା ଥିଲା, ଯାହା ବର୍ତ୍ତମାନ କିଲୋଗ୍ରାମ ପାଇଁ 1,01,000 ଟଙ୍କା ହୋଇଛି ।