ନୂଆଦିଲ୍ଲୀ: ଚାହୁଁ ଚାହୁଁ ସେପ୍ଟେମ୍ବର ମାସ ସରି ଆସିଲାଣି । ଆଉ ମାତ୍ର କେଇଟା ଦିନ ଭିତରେ ପହଞ୍ଚିଯିବ ସେପ୍ଟେମ୍ବର ୩୦ ତାରିଖ । ଆଉ ସେପ୍ଟେମ୍ବର ୩୦ ତାରିଖରୁ ବନ୍ଦ ହୋଇଯିବ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ । ଏହି ତାରିଖ ପରେ ଦେଶରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଉପରେ ରୋକ ଲଗାଇ ପାରନ୍ତି ସରକାର । ତେବେ ଆଜି ପର୍ଯ୍ୟନ୍ତ ଆହୁରି ପ୍ରାୟ ୧୩ ପ୍ରତିଶତ ନୋଟ ପ୍ରଚଳିତ ହେଉଥିବା ରିପୋର୍ଟରୁ ଜାଣିବାକୁ ମିଳିଛି । ଯଦି ଆପଣଙ୍କ ପାଖରେ ମଧ୍ୟ ଏହି ୨୦୦୦ ଟଙ୍କିଆ ନୋଟ ରହି ଯାଇଛି, ତେବେ ଏହା ଗୋଟିଏ ସପ୍ତାହ ପରେ ଅକାମୀ ହୋଇଯିବ ।
ସରକାରଙ୍କ ଘୋଷଣା ଅନୁସାରେ, ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଲୋକମାନେ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କରେ ବଦଳାଇପାରିବେ ବା ଜମା କରିପାରିବେ । ତେବେ ଗୋଟିଏ ଦିନରେ ଜଣେ ବ୍ୟକ୍ତି ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏହି ନୋଟ ଟ୍ରାଞ୍ଜାକ୍ସନ କରିପାରିବ ବୋଲି କୁହାଯାଇଛି । ବିମୁଦ୍ରୀକରଣ ହୋଇଥିବା ୨,୦୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ନୋଟ୍ ଜମା କରିବା ପାଇଁ KYC ନିୟମ ସହିତ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ପାଳନ କରିବାକୁ ପଡ଼ିବ । ତେବେ ସେପ୍ଟେମ୍ବର ମାସ ଆରମ୍ଭରେ ଆବିଆଇ ଦ୍ୱାରା ଜାରି ହୋଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ଦେଶର ପ୍ରାୟ ୯୩% ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଆସିଛି ।
ଆରବିଆଇର ରିପୋର୍ଟ ଅନୁସାରେ, ଅଗଷ୍ଟ ୩୧ ସୁଦ୍ଧା ବ୍ୟାଙ୍କରେ ପ୍ରାୟ ୩.୩୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଜମା କରାଯାଇଛି । ଏ ନେଇ ବିଭିନ୍ନ ବ୍ୟାଙ୍କ ତରଫରୁ ମିଳିଥିବା ରିପୋର୍ଟରୁ ଜଣାଯାଇଛି ଯେ, ସମସ୍ତ ୨୦୦୦ ଟଙ୍କିଆ ନୋଟର ପ୍ରାୟ ୮୭ ପ୍ରତିଶତ ବ୍ୟାଙ୍କରେ ଜମା କରାଯାଇଥିବା ବେଳେ ବାକି ୧୩ ପ୍ରତିଶତ ନୋଟ ଅନ୍ୟ ନୋଟରେ ପରିବର୍ତ୍ତନ କରିଛନ୍ତି ଗ୍ରାହକ । ସୂଚନା ଥାଉ କି, ଗତ ମେ’ ୧୯ ତାରିଖରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ରୋକ ଲଗାଇଥିଲେ ।