fbpx

ବୁଲେଟ ବାବା ମନ୍ଦିର ବିଷୟରେ କିଛି ଜାଣିଛନ୍ତି କି? ଭାରତରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠି ବୁଲେଟ ଗାଡି ପୂଜା ପାଏ

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଅନେକ ଦେବାଦେବୀ ରହିଛନ୍ତି। କେହି କେହି ଜଳକୁ ଦେବତା କୁହନ୍ତି ତ ପୁଣି ଆଉ କେହି ପଥରକୁ ବି ଦେବତା କୁହନ୍ତି। ଏଣୁ ଯାହାର ଯେମିତି ବିଶ୍ୱାସ ତା’ପାଇଁ ସେମିତି ଭଗବାନ। ସେଥିପାଇଁ କଥାରେ ଅଛି ମାନିଲେ ଦେବତା ନ ମାନିଲେ ପଥର। ଆପଣ ଯାହା ଦେଖି ପାରୁଛନ୍ତି ତାହାକୁ ଭଗବାନ ବୋଲି ମାନି ପାରନ୍ତି, ନଚେତ ଏକ ବସ୍ତୁ ବୋଲି କହି ପାର’ନ୍ତି। ତେବେ ଏଭଳି ଏକ ବିଶ୍ୱାସକୁ ନେଇ ଲୋକେ ବୁଲେଟ ଗାଡିକୁ ଭଗବାନ ବୋଲି ମନେ କରନ୍ତି। ଆଉ ଏଥିପାଇଁ ଏକ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି। କଥାଟା ଟିକିଏ ଅଜବ ଲାଗୁଥିଲେ ବି ଘଟଣା ସତ। ଏହା ପଛରେ ଏକ କାହାଣୀ ମଧ୍ୟ ରହିଛି।

ସୂଚନା ଅନୁଯାୟୀ, ରାଜସ୍ଥାନରେ ଏପରି ଏକ ମନ୍ଦିର ଅଛି, ଯେଉଁଠି ଗୋଟିଏ ବୁଲେଟ ଗାଡି ପୂଜା ପାଆ’ନ୍ତି । ଏହି ମନ୍ଦିରର ନାମ ବୁଲେଟ ବାବା ମନ୍ଦିର ବୋଲି ରଖାଯାଇଛି । ଗାଡିକୁ ସମସ୍ତେ ବାବା ବୁଲେଟ ରୂପେ ପୂଜା କରନ୍ତି। ଏହି ବୁଲେଟ ବାବା ମନ୍ଦିର “ଓମ ବନ୍ନା ତୀର୍ଥ” ନାମରେ ମଧ୍ୟ ପରିଚିତ। ଏହି ମନ୍ଦିର ରାଜସ୍ଥାନର ଯୋଧପୁର ଠାରୁ ୫୦କିମି ଦୂରରେ ରହିଛି। ଯୋଧପୁର-ପାଲି ଜାତୀୟ ପଥ ନିକଟରେ ଥିବା ଚୋଟିଲା ଗାଁରେ ଏହି ବୁଲେଟ ବାବା ଓମ ବନ୍ନା ବିରାଜିତ ହୋଇଛନ୍ତି। ତେବେ ପ୍ରାୟ ୩୦ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଠାକୁର ଯୋଗ ସିଂ ରାଠୋରଙ୍କ ପୁଅ ଓମ ସିଂ ରାଠୋରଙ୍କ ନାମରେ ଏହି ମନ୍ଦିର ନିର୍ମାଣ କରାଯାଇଛି।

କୁହାଯାଏ, ଓମ ସିଂ ନାମକ ଯୁବକଙ୍କ ଏହି ସ୍ଥାନରେ ଦୁର୍ଘଟଣା ହୋଇଥିଲା। ଉକ୍ତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଓମଙ୍କ ବୁଲେଟ ଜବତ କରିଥିଲା। ଏହା ପରେ ପୋଲିସ ବୁଲେଟଟିକୁ ଥାନାରେ ନେଇ ରଖିଥିଲା। କିନ୍ତୁ ରାତିରେ ହଠାତ୍‌ ବାଇକଟି ଥାନାରୁ ଗାଏବ ହୋଇଯାଇଥିଲା। ପୋଲିସ ବହୁ ଖୋଜା ଖୋଜି କରିବା ପରେ ଉକ୍ତ ଦୁର୍ଘଟଣା ସ୍ଥଳରେ ବାଇକ ପଡିଥିବା ଦେଖିବାକୁ ପାଇଥିଲା। କେବଳ ଥରେ ନୁହେଁ ପ୍ରତିଦିନ ରାତିରେ ଏହି ଘଟଣା ବାରବାର ଘଟିବାରୁ ପୋଲିସ ଆଶ୍ଚର୍ୟ୍ୟ ହୋଇଯାଇଥିଲା। ଶେଷରେ ପୋଲିସ ବାଇକକୁ ତାଙ୍କ ପରିବାର ସଦସ୍ୟଙ୍କୁ ଫେରାଇ ଦେଇଥିଲା। ପରେ ଓମଙ୍କ ବାପା ଓମଙ୍କ ମୃତ୍ୟୁସ୍ଥଳୀରେ ଗୋଟିଏ ମନ୍ଦିର ନିର୍ମାଣ କରିଥିଲେ ଯାହା ବୁଲେଟ ବାବା ମନ୍ଦିର ଭାବେ ପରିଚିତ ହୋଇଥିଲା।

ତେବେ ବିଶ୍ୱାସ ଅନୁଯାୟୀ, ଓମ ବନ୍ନାଙ୍କର ଆତ୍ମା ସେହି ମନ୍ଦିରେ ରହୁଛି। ଉକ୍ତ ମନ୍ଦିର ଦେଇ ଯାତ୍ରୀ ଅତିକ୍ରମ କଲା ବେଳେ ସେଠାରେ ଟିକିଏ ଅଟକି ଯାଇ ନମସ୍କାର କରନ୍ତି। ଓମ୍‌ ବାନ୍ନା ବା ବୁଲେଟ ବାବା ସେମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିଥାନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି।

Get real time updates directly on you device, subscribe now.