ଅନଲାଇନ ଗେମିଂରେ ଟଙ୍କା ହରାଇ ଆତ୍ମହତ୍ୟା କଲେ ଡାକ୍ତର, କାର ଭିତରେ ୩ ଦିନ ରହିଲା ଶବ

ସହିପାରିଲେନି ଋଣ ବୋଝ।

ଚେନ୍ନାଇ: ଶୁନ୍‌ ଶାନ୍ ଜଙ୍ଗଲ ରାସ୍ତାରେ ଠିଆ ହୋଇଥିଲା କାର୍। ଦେଖୁ ଦେଖୁ ବିତିଗଲା ୩ ଦିନ। ଗୋଟେ ଇଞ୍ଚ ବି ଘୁଞ୍ଚିଲାନି। ଆଉ କାର୍‌ ଭିତରୁ ଆସୁଥିଲା ଭଣ ଭଣ ଦୁର୍ଗନ୍ଧ। ସନ୍ଦେହ ହେବାରୁ ଖୋଲାଗଲା କାର୍ ଡୋର୍। ଆଉ ୩ ଦିନ ହେବ ଭିତରେ ଥିଲା ଡାକ୍ତରଙ୍କ ପଚା ଶବ।

ଖୋଜୁ ଖୋଜୁ ଜଣାପଡିଲା ଋଣ ଭାରରେ ଚାପଗ୍ରସ୍ତ ଥିଲେ ଡାକ୍ତର। ତେଣୁ ହାତରେ ଆଇଭି ଫ୍ଲୁଇଡ୍‌ ଡ୍ରିପ୍ ଦେବା ପରେ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରୁ ଜଣାପଡିଛି।  ଆଉ ମୃତ୍ୟୁର କାରଣ ଅନଲାଇନ ଗେମିଂରେ ଟଙ୍କା ହରାଇଥିବା କାରଣରୁ ହୋଇଥିବା ବୋଲି କୁହାଯାଉଛି।

ରାସ୍ତା ଉପରେ ଗାଡ଼ି: ତାମିଲନାଡୁର କୋଡାଇକାନାଲର ପାହାଡ଼ି ସହର।  ଶୂନ ଶାନ୍ ରାସ୍ତା ଉପରେ ଛିଡ଼ା ହୋଇଥିଲା ଗୋଟେ କାର। ସେହି ରାସ୍ତା ଦେଇ ଯାଉଥିବା ଲୋକେ କାରଟିକୁ ଦେଖୁଥିଲେ ହେଲେ କାହାର କୌଣସି ପ୍ରତିକ୍ରିୟା ନଥିଲା।

ଚାହୁଁ ଚାହୁଁ ବିତିଗଲା ୩ ଦିନ।  ଆଉ ତିନି ଦିନ ପର୍ଯ୍ୟନ୍ତ ଯେତେବେଳେ କାର୍ ଟି ଥିବା ସ୍ଥାନରୁ ନଘୁଞ୍ଚିଲା, ସେତେବେଳେ ସମସ୍ତଙ୍କର ସନ୍ଦେହ ହେଲା। ଆଉ କାର ପାଖକୁ ଯିବା ମାତ୍ରେ ଦୁର୍ଗନ୍ଧରେ ନାକ ଫାଟି ଗଲା।

ଗାଡ଼ି ଭିତରେ ଡାକ୍ତରଙ୍କ ଶବ: ଆଉ ଯେତେବେଳେ କାରର ଡୋର ଖୋଲାଗଲା, ସେତେବେଳେ କାର ଭିତରୁ ଡାକ୍ତରଙ୍କ ପଚା ଶବ ମିଳିଲା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କୋଡାଇକାନାଲର ପାହାଡ଼ି ସହର ନିକଟରେ।

ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କ ମୃତଦେହକୁ ଗାଡ଼ି ଭିତରୁ ବାହାର କଲା। ତା ସହ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କଲା। ପରେ ଜଣାପଡିଲା କି ଡାକ୍ତର ଜଣକ ଆତ୍ମହତ୍ୟା କରିଛନ୍ତି।

ଡାକ୍ତରଙ୍କ ଆତ୍ମହତ୍ୟା: ଅଧିକାରୀମାନେ କହିଛନ୍ତି ଯେ ଡାକ୍ତର ଯୋଶୁଆ ସମରାଜ ସାଲେମରେ ଏମଡି (ଡକ୍ଟର ଅଫ୍ ମେଡିସିନ୍) ପାଠ ପଢ଼ୁଥିଲେ ଏବଂ ମାଦୁରାଇର ଏକ ହସ୍ପିଟାଲରେ କାମ କରୁଥିଲେ।

ହେଲେ ତିନି ଦିନ ତଳେ ନିଜ କାର ଭିତରେ ହାତରେ ଆଇଭି ଫ୍ଲୁଇଡ୍‌ ଡ୍ରିପ୍ ଦେବାପରେ ଆତ୍ମହତ୍ୟା କରିଥିଲେ। ପରେ ପୋଲିସ ସୁଇସାଇଡ୍ ନୋଟ୍ ଜବତ କରିବା ପରେ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିଥିଲା।

ଋଣବୋଝ ସହିପାରିଲେନି: “ଡାକ୍ତର ସୁଇସାଇଡ ନୋଟରେ ତାଙ୍କ ପରିବାରକୁ କ୍ଷମା ମାଗିଛନ୍ତି କିନ୍ତୁ କାହାକୁ ଦୋଷ ଦେଇନାହାଁନ୍ତି କିମ୍ବା କୌଣସି କାରଣ ଦେଇନାହାଁନ୍ତି। ହେଲେ ପରିବାର ଲୋକେ କହିଛନ୍ତି ଯେ, ସେ କିଛି ଦିନ ହେବ ମାନସିକ ଚାପରେ ରହୁଥିଲେ”।

ତଦନ୍ତକାରୀ ଟିମ୍ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଡାକ୍ତର ସମରାଜ ଋଣଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି। ଯଦିଓ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋସିଆଲ ମିଡିଆରେ ଡାକ୍ତରଙ୍କ ଅନଲାଇନ୍ ଗେମିଂରେ ଟଙ୍କା ହରାଇଥିବା ନେଇ ଅନୁମାନ କରାଯାଉଛି।

ହେଲେ ପୋଲିସ କହିଛି ଆତ୍ମହତ୍ୟା ନୋଟରେ ସେପରି କୌଣସି କଥା ଲେଖାଯାଇନାହିଁ।  କିମ୍ବା ତାଙ୍କ ପିତାମାତା ଏପରି କିଛି କହିନାହାଁନ୍ତି। ଏବେ ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ।