fbpx

ଅସହାୟ ମହିଳାଙ୍କ ଶେଷକୃତ୍ୟ କଲେ ଡ଼ାକ୍ତର; ପ୍ରଶଂସାରେ ଏମିତି ଲେଖିଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର(ଓଡ଼ିଶା ଭାସ୍କର):ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର ର ଆବାସିକ ଡାକ୍ତର ତଥା ସମାଜ ସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀ । କେତେବେଳେ ଗରିବ ଙ୍କ ପାଇଁ ଏକ ଟଙ୍କିଆ କ୍ଲିନିକ ତ କେତେବେଳେ ଅସହାୟ କୁଷ୍ଠ ରୋଗୀଙ୍କୁ କାନ୍ଧ ରେ ବୋହି ରାସ୍ତା ପାର କରେଇବା ପାଇଁ ପ୍ରସଂଶା ସାଉଁଟିଥିବା ଡାକ୍ତର ରାମଚନ୍ଦାନୀ ଏବେ ଜଣେ ଗରିବ ଅସହାୟ ମହିଳାଙ୍କ ପୁଅ ପରି ଶେଷକୃତ୍ୟ ସମ୍ପନ୍ନ କରି ଚର୍ଚ୍ଚା ରେ ଅଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡାକ୍ତରଙ୍କ ପ୍ରଶଂସା କରିଛନ୍ତି । ବୁର୍ଲାରେ ସହକାରୀ ପ୍ରଫେସର ଭାବରେ କାମ କରୁଥିବା ଶଙ୍କର ରାମଚନ୍ଦାନୀ ଯେଉଁଭଳି ଭାବରେ ଜଣେ ମହିଳାଙ୍କୁ ସମ୍ମାନଜନକ ଅନ୍ତିମ ଯାତ୍ରାର ସୁଯୋଗ ଦେଲେ ତାହା ପ୍ରଶଂସା ଯୋଗ୍ୟ । ଏହି ପଦଷକ୍ଷପ ସମାଜରେ ସୌହାର୍ଦ୍ଦ୍ୟର ବାର୍ତ୍ତା ପ୍ରଚାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ ର ମେଡ଼ିସିନ ୱାର୍ଡରେ ୪ ବର୍ଷ ହେଲା ଚିକିତ୍ସିତ ହେଉଥିଲେ ୬୨ ବୟସ୍କା ପୁଷ୍ପାଞ୍ଜଳି ବାଗ । ୨୦୧୮ ମସିହା ଜୁଲାଇ ୭ ତାରିଖ ରେ ସୋନପୁର ବିରାମହାରାଜପୁର ଥାନା ଅଞ୍ଚଳ ର ପୁଷ୍ପାଞ୍ଜଳି ବାଗ ଙ୍କୁ ପକ୍ଷାଘାତ ହେବାରୁ ତାଙ୍କ ପରିବାର ଲୋକେ ଭୀମସାରର କେଜୁଆଳିଟିରେ ଭର୍ତ୍ତି କରିଥିଲେ। ଏହା ପରେ ସେ ମେଡ଼ିସିନ ୱାର୍ଡ ରେ ଚିକିତ୍ସିତ ହୋଇ ଆସୁଥିଲେ। ତେବେ ଏହି ଭିତରେ ପୁଷ୍ପା ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ତାଙ୍କୁ ଥରେ ଦେଖା କରିନଥିଲେ। ତେବେ ଏହି ୪ ବର୍ଷ ମଧ୍ୟରେ ଏହି ବୁର୍ଲା ମେଡ଼ିକାଲ କୁ ସେ ନିଜର ଘର ଓ ପରିବାର ବୋଲି ଭାବି ନେଇଥିଲେ। ଡାକ୍ତର ତଥା ନର୍ସ ମାନେ ମଧ୍ୟ ପୁଷ୍ପା ଙ୍କ ସବୁ ଅବଶ୍ୟକତା ପୁରଣ କରିବା ସହ ତାଙ୍କର ସେବା କରି ଆସୁଥିଲେ। ତେବେ ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ପୁଷ୍ପାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପୁଷ୍ପା ଙ୍କ ପରିବାର ଲୋକ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଆସିନଥିଲେ।ଏହା ପରେ ବୁର୍ଲା ଭୀମସାର ମେଡ଼ିକାଲ ର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ ପୁଷ୍ପା ଙ୍କ ଶବକୁ ନେଇ ବୁର୍ଲା ବିଷ୍ଣୁ ମନ୍ଦିର ପଡ଼ା ର ସ୍ମଶାନ ଘାଟରେ ପୁଷ୍ପା ଙ୍କ ଶବ ରେ ମୁଖାଗ୍ନି ଦେବା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

Get real time updates directly on you device, subscribe now.