fbpx

VIMSARରେ ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା ୧୨ କେଜିର ଏକ ବଡ଼ ଟ୍ୟୁମର

ନୂଆଦିଲ୍ଲୀ: ଆଜିର ବିଜ୍ଞାନ ଯୁଗରେ ମଣିଷ ଯେତିକି ଆଗକୁ ଯାଉଛି ସେହି ଅନୁପାତରେ ଅଧିକ ମାତ୍ରାରେ ରୋଗଗ୍ରସ୍ତ ହେଉଛି । ପରିବର୍ତ୍ତିତ ଲାଇଫଷ୍ଟାଇଲ, ଖାଦ୍ୟପେୟରେ ପରିବର୍ତ୍ତନ, ଖାଦ୍ୟରେ ରାସାୟନିକ ପଦାର୍ଥର ପ୍ରୟୋଗ ଆଦି ବିଭିନ୍ନ କାରଣରୁ ମଣିଷ ବେଳକୁ ବେଳ ବିପଦ ଆଡ଼କୁ ମୁହାଁମୁଛି । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାରର ରୋଗରେ ସଂକ୍ରମିତ ହେଉଥିବାର ଦେଖାଯାଉଛି ।

ତେବେ ଅନେକ ସମୟରେ ଆମର ଆଖପାଖରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ । କାହା ପେଟରେ ସର୍ଜରୀ ସମୟରେ ଗଜକନା, ଛୁଞ୍ଚି ରହିଯାଉଛି ତା’ ଆଉ କାହା ପେଟରୁ ଏକ ବଡ଼ ଟ୍ୟୁମର ବାହାରୁଛି । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ଡାକ୍ତରମାନେ ଏକ ବିରଳ ଅପରେସନ କରି ଜଣେ ମହିଳାଙ୍କ ପେଟରୁ ପାଖାପାଖି ୧୨ କେଜିର ଏକ ମାଂସ ପିଣ୍ଡୁଳା ବା ଟ୍ୟୁମର ବାହାର କରିଛନ୍ତି ।

ଅନୁଗୁଳ ଜିଲ୍ଲାର ଜଣେ ୪୬ ବର୍ଷୀୟା ମହିଳା ଦୀର୍ଘଦିନ ଧରି ପେଟ ଫୁଲିବା ଓ ଯନ୍ତ୍ରଣା ସମସ୍ୟାର ସମ୍ମୁଖୀନ ହେଉଥିଲେ । ତେବେ ଏହି ଯନ୍ତ୍ରଣା ଅସହ୍ୟ ହେବାରୁ ମହିଳା ଜଣଙ୍କ ଗତ ମାସ ୨୬ ତାରିଖରେ ଭୀମସାର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଏହା ପରେ ଡାକ୍ତର ତାଙ୍କଙ୍କ ପରୀକ୍ଷା କରିଥିଲେ ଓ ପେଟରେ ଏକ ବଡ଼ ଟ୍ୟୁମର ରହିଥିବା ଜାଣିବାକୁ ପାଇଥିଲେ । ଏହାପରେ ଡାକ୍ତରୀ ଟିମ୍ ପକ୍ଷରୁ ସଫଳତାର ସହିତ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଓ ଅସ୍ତ୍ରୋପଚାର ପରେ ମହିଳାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଇଛି ।

Get real time updates directly on you device, subscribe now.