fbpx

Deltaରୁ ମିଳିଥିଲା ୧୫ଟି ମ୍ୟୁଟେସନ, Omicronରୁ ମିଳିସାରିଲାଣି ୩୦ରୁ ଅଧିକ ମ୍ୟୁଟେସନ: ଏଥିରୁ ଜାଣନ୍ତୁ ଏହା କେତେ ଭୟଙ୍କର, କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା ନୂଆ ଭାରିଆଣ୍ଟ ଓମିକ୍ରନର ଡର ବର୍ତ୍ତମାନ ସମଗ୍ର ବିଶ୍ୱକୁ ଶନିଗ୍ରହ ପରି ମାଡ଼ିଗଲାଣି । ଭାରତରେ ମଧ୍ୟ ଏହାକୁ ନେଇ ଛନକା ଛାଇ ଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇବା ସହ ସମସ୍ତ ରାଜ୍ୟକୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ଏହି ଭାରିଆଣ୍ଟ କେତେଦୂର ଜନସାଧାରଣଙ୍କୁ ପ୍ରଭାବିତ କରିବ, କିପରି ଏଥିରୁ ନିସ୍ତାର ମିଳିବ, ସେଇ ନିଜର ମତ ରଖିଛନ୍ତି ହାର୍ଟ ଓ କାର୍ଡିଓଲୋଜି ସର୍ଜନ ଡା. ନରେଶ ତ୍ରେହନ ।

ମନ୍ଦାତା ମେଡିସିଟିର ଅଧ୍ୟକ୍ଷ ଡା. ନରେଶ କହିଛନ୍ତି ଯେ, ଓମିକ୍ରନ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକା ଛଡ଼ା ବେଲଜିୟମ, ହଂକଂ, ବୋଟସୱାନା ଆଦି ଅନେକ ଦେଶକୁ ମାଡ଼ି ଗଲାଣି । ପୂର୍ବରୁ ତାଣ୍ଡବ ମଚାଇଥିବା ଡେଲଟାରୁ ୧୫ଟି ମ୍ୟୁଟେସନ ମିଳିଥିବା ବେଳେ ଓମିକ୍ରନର ୩୦ରୁ ଅଧିକ ମ୍ୟୁଟେସନ ମିଳିସାରିଛି। ତେଣୁ ଅଧିକ ଭୟଙ୍କର ସାବ୍ୟସ୍ତ ହୋଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏହାର ‘ଭାରିଆଣ୍ଟ ଅଫ୍ କନସର୍ଣ୍ଣ’ କ୍ୟାଟେଗୋରିରେ ରଖାଯାଇଛି । ଲୋକଙ୍କ ଉପରେ ଏହାର ପ୍ରଭାବ କିପରି ରହିବ, ତାହା ଭ୍ୟାକ୍ସିନର ଇମ୍ୟୁନିଟି ଉପରେ ନିର୍ଭର କରେ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦେଶରେ ବିବାହ, ପାର୍ଟି ଆରମ୍ଭ ହୋଇଯିବା ସହ ଲୋକମାନେ ସାର୍ବଜନିକ କ୍ଷେତ୍ରରେ ମାସ୍କ ପିନ୍ଧୁ ନାହାନ୍ତି । ତେବେ ଆସନ୍ତା ୩୦-୪୦ ଦିନ ମଧ୍ୟରେ ସମସ୍ତ କୋଭିଡ୍ ନିୟମକୁ ଠିକ୍ ଭାବେ ମାନି ଚଳିଲେ ଏହି ବିପଦକୁ ଏଡ଼ାଇ ଦେଇହେବ । ଓମିକ୍ରନ କେତେ ଭୟଙ୍କର ସାବ୍ୟସ୍ତ ହେବ, ସେନେଇ ଅଧିକ ରିସର୍ଚ୍ଚ ଜାରି ରହିଛି । ନୂଆ ଭାରିଏଣ୍ଟ ବି.୧.୧୫୨୯ ବିପକ୍ଷରେ ଲଢ଼େଇ କରୁଥିବା ଦେଶଗୁଡ଼ିକ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରଖିବା ଦରକାର । ଯେଉଁମାନେ କୋଭିଡର ଦୁଇଟି ଯାକ ଡୋଜ ନେଇସାରିଛନ୍ତି, ଆଠ-ନଅ ମାସ ମଧ୍ୟରେ ସେମାନଙ୍କର ଇମ୍ୟୁନିଷ୍ଟ ଧିରେଧିରେ ହ୍ରାସ ପାଇବ । ତେଣୁ ସେମାନେ ତୁରନ୍ତ ବୁଷ୍ଟର ଡୋଜ୍ ଲଗାଇବା ଜରୁରୀ ବୋଲି ଡା. ନରେଶ କହିଛନ୍ତି ।

Get real time updates directly on you device, subscribe now.