fbpx

ସାପ ମୃତ୍ୟୁର ପ୍ରତିଶୋଧ ନିଏ କି ନାଗୁଣୀ? କ’ଣ ରହିଛି ସତ୍ୟତା? ଜଣକୁ ୫ ଥର ଚୋଟ ମାରିଲା ସାପ…

Advertisement

ଓଡ଼ିଶା ଭାସ୍କର: ନାଗ-ନାଗୁଣୀଙ୍କ ସମ୍ପର୍କକୁ ନେଇ ଅନେକ ଫିଲ୍ମରେ ଦର୍ଶାଯାଇଛି । ଏଥିରେ ଦେଖାଯାଇଛି ଯେ, କେହି ଯଦି ନାଗକୁ ହତ୍ୟା କରେ, ତେବେ ନାଗୁଣୀ ହତ୍ୟାକାରୀକୁ ଖୋଜି ଖୋଜି ଏହାର ପ୍ରତିଶୋଧ ନେଇଥାଏ । ସାପ ମରିବା ପରେ ତା’ ଆଖିରେ ହତ୍ୟାକାରୀର ଫଟୋଚିତ୍ର ରହିଯାଏ ବୋଲି କୁହାଯାଏ । ଏହାକୁ ଦେଖି ନାଗୁଣୀ ନିଜ ପ୍ରେମୀର ପ୍ରତିଶୋଧ ନେଉଥିବା ବିଶ୍ୱାସ ରହିଛି । ତେବେ ଏହା ପ୍ରକୃତ ଜୀବନରେ ସତ ହୋଇପାରେ କି? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ରହିଥାଏ ଏବଂ ଏହାର ଉତ୍ତର ଆଜି ବି ଏକ ରହସ୍ୟ ହୋଇ ରହିଛି ।

ଉତ୍ତରପ୍ରଦେଶର ଫତେହପୁରରେ ଏଭଳି ଏକ ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ୫ଥର ସାପ କାମୁଡ଼ିଥିବା ମାମଲା ସାମନାକୁ ଆସିଛି । ବ୍ୟକ୍ତି ଜଣକ ସାପ ଭୟରେ ନିଜ ଘର ଛାଡ଼ି ଅନ୍ୟ ଜାଗାରେ ରହିବା ପରେ ମଧ୍ୟ ତାଙ୍କୁ ସାପ କାମୁଡ଼ିଥିବା ଜଣାଯଇଛି । ଏହି ମାମଲା ପରେ ସାପର ପ୍ରତିଶୋଧକୁ ନେଇ ପ୍ରଶ୍ନ ଆହୁରି ମଜବୁତ ହୋଇ ରହିଛି । କିନ୍ତୁ ଏହାକୁ ନେଇ ବିଜ୍ଞାନ କ’ଣ କହୁଛି? ଅନେକ ଲୋକ ଏହାକୁ ବିଶ୍ୱାସ କରିଥାନ୍ତି । କିନ୍ତୁ ପ୍ରକୃତରେ କ’ଣ ସାପ ନିଜ ସାଥୀର ମୃତ୍ୟୁର ପ୍ରତିଶୋଧ ନିଏ? ବିଜ୍ଞାନ ଅନୁସାରେ, ଏହା ସମ୍ଭବ ନୁହେଁ ଯେ ଗୋଟିଏ ସାପ କୌଣସି ବ୍ୟକ୍ତିଙ୍କ ପାଖରୁ ପ୍ରତିଶୋଧ ନେଇପାରିବ । ସାପର ମେମୋରୀରେ କୌଣସି ଜିନିଷ ଲମ୍ବା ସମୟ ପର୍ଯ୍ୟନ୍ତ ରଖିବା କିମ୍ବା କୌଣସି ବ୍ୟକ୍ତିଙ୍କ ଚେହେରା ମନେ ରଖି ତାଙ୍କଠୁ ପ୍ରତିଶୋଧ ନେଇ ପାରିବ ନାହିଁ । କାରଣ ଗୋଟିଏ ସାପର ମସ୍ତିଷ୍କ ସେତେ ପରିମାଣରେ ବିକଶିତ ହୋଇ ନଥିବା ବିଜ୍ଞାନରେ ପ୍ରମାଣ ହୋଇସାରିଛି । ତେଣୁ ସାପ କେବେ ହେଁ ପ୍ରତିଶୋଧ ନିଏ ନାହିଁ । ଏହା କେବଳ ଏକ କାହାଣୀ ହୋଇପାରେ ।

ସେହିପରି କୁହାଯାଏ ଯେ, ଯଦି କୌଣସି ସାପର ମୃତ୍ୟୁ ହୁଏ, ତେବେ ସେଠାକୁ ନାଗୁଣୀ ଆସିଥାଏ । ସେଠାରୁ ସାପକୁ ହଟାଇଦେବା ପରେ ମଧ୍ୟ ନାଗୁଣୀ ସେଠାକୁ ଆସିଥାଏ ବୋଲି ବିଶ୍ୱାସ ରହିଛି । ତେବେ ପ୍ରକୃତ ଘଟଣା ହେଉଛି, ସାପର ମୃତ୍ୟୁ ପରେ ଶରୀରରୁ କିଛି ଫେରୋମୋନ ବାୟୁମଣ୍ଡଳ ଏବଂ ମାଟି ଉପରେ ଛଡ଼ିଥାଏ । ମୃତ ସାପର ଶରୀରରୁ କିଛି ରସାୟନିକ ପଦାର୍ଥ ବାହାରି ପବନରେ ରହିଯାଏ । ତେବେ ଯଦି କୌଣସି ସାପ ଏହା ସଂସ୍ପର୍ଶରେ ଆସେ, ତେବେ ତାହା ଏହି ସ୍ଥାନକୁ ଆସିଥାଏ ବୋଲି ବିଜ୍ଞାନ ସ୍ପଷ୍ଟ କରିଛି । ଏହି ଘଟଣାକୁ ଦେଖି କୁହାଯାଇଛି ଯେ, ସାପର ମୃତ୍ୟୁରେ ନାଗୁଣୀ ପ୍ରତିଶୋଧ ନେବା ପାଇଁ ଆସିଥାଏ ।

ତେବେ ପ୍ରକୃତରେ ‘ସାପ ପ୍ରତିଶୋଧ ନେବା’ ଏକ ମନଗଢା କାହାଣୀ । ସାପ ଜାତିକୁ ବଞ୍ଚାଇ ରଖିବା ପାଇଁ ଏହି କାହାଣୀ ପ୍ରସ୍ତୁତ କରାଯାଇଛି । କେହି କୌଣସି ସାପକୁ ଅନ୍ୟଥା ବା ବିନା ଦୋଷରେ ନମାରନ୍ତୁ, ସେଥିପାଇଁ ଏଭଳି ଏକ କାହାଣୀ ଗଢାଯାଇଛି । ସାପ ମୃତ୍ୟୁରେ ନାଗୁଣୀ ଏହାର ପ୍ରତିଶୋଧ ନେଇଥାଏ ଏବଂ ହତ୍ୟାକାରୀକୁ ଜୀବନରୁ ମାରିଦିଏ ବୋଲି ଭୟ ସୃଷ୍ଟି କରାଯାଇଛି । କିନ୍ତୁ ବିଜ୍ଞାନ ଏହାକୁ ମିଛ କାହାଣୀ ବୋଲି ପ୍ରମାଣ କରିସାରିଛି ।

Get real time updates directly on you device, subscribe now.