ଆପଣଙ୍କ ପିଲା ବଡ଼ ହେବା ପରେ ବି ବେଡରେ ପରିସ୍ରା କରୁଛି କି, କରନ୍ତୁ ଏହି ଘରୋଇ ଉପଚାର
୫-୬ ବର୍ଷର ପିଲା ବେଡରେ ପରିସ୍ରା କରୁଥିଲେ, ଆପଣାନ୍ତୁ ଏହି ଉପାୟ।
ଓଡ଼ିଶା ଭାସ୍କର: ଛୋଟ ପିଲାମାନେ ପ୍ରାୟତଃ ବେଡରେ ପରିସ୍ରା କରିଦିଅନ୍ତି। ଅବଶ୍ୟ ଆଜିକାଲି ୱେଟ୍ ସିଟ୍ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ କଭର ପର୍ଯ୍ୟନ୍ତ, ଛୋଟ ପିଲାମାନଙ୍କ ପାଇଁ ଅନେକ ଜିନିଷ ମିଳୁଛି ଯାହା ଶଯ୍ୟା ଓଦାକୁ ରୋକିବାରେ ସାହାଯ୍ୟ କରିଥାଏ।
ଯଦି ଆପଣଙ୍କ ପିଲାକୁ ୬ କିମ୍ବା ୭ ବର୍ଷ ହୋଇଗଲାଣି ଆଉ ସେ ଶେଯରେ ପରିସ୍ରା କରିଦେଉଛି ତେବେ ଏହାକୁ ଅଣଦେଖା କରିବା ଠିକ ନୁହେଁ। ଅନେକ ସମୟରେ ଯଦି ଆପଣ ନିଜ ପିଲାମାନଙ୍କ ସହିତ କୌଣସି ସ୍ଥାନକୁ ଯାଆନ୍ତି ଏବଂ ପିଲା ଅନ୍ୟ ଘରର ଶେଯରେ ପରିସ୍ରା କରିଦିଏ, ତେବେ ଥରେ ଭାବନ୍ତୁ ଏହା କେତେ ଲଜ୍ଜାଜନକ କଥା ହେବ।
ବାସ୍ତବରେ, ଯଦି ପିଲା ୫ ବର୍ଷ ହେବା ପରେ ବି ବିଛଣାରେ ପରିସ୍ରା କରୁଛି, ତେବେ ତାଙ୍କୁ ତୁରନ୍ତ ଏ ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ଅଛି। ପିଲାମାନେ ବିଛଣାରେ ପରିସ୍ରା କରିବା ପଛରେ ଅନେକ କାରଣ ମଧ୍ୟ ଥାଇପାରେ।
ପରିସ୍ରା ସଂକ୍ରମଣ, ସନ୍ଧ୍ୟାରେ ଅଧିକ ପାଣି ପିଇବା, ଅଧିକ ମିଠା ଖାଇବା, ଝାଡା ସଫା ନ ହେବା ଇତ୍ୟାଦି ଏହାର କାରଣ ହୋଇପାରେ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ବ୍ୟତୀତ, ଯଦି ଆପଣ ଚାହାଁନ୍ତି, କିଛି ଫଳ ଏବଂ ଘରୋଇ ଉପଚାର ସାହାଯ୍ୟରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଯେତେବେଳେ ପିଲାମାନେ ଗଭୀର ନିଦ୍ରାରେ ଥାଆନ୍ତି ଏବଂ ପରିସ୍ରା କରିବାକୁ ଉଠିବାକୁ ଅସମର୍ଥ ହୁଅନ୍ତି, ସେତେବେଳେ ପିଲାମାନେ ନିଜ ବିଛଣାରେ ହିଁ ପରିସ୍ରା କରିଦିଅନ୍ତି। ଆୟୁର୍ବେଦରେ ଶରୀରର ଅନେକ ରୋଗକୁ ବିଭିନ୍ନ ଫଳ ମାଧ୍ୟମରେ ଚିକିତ୍ସା କରାଯାଇପାରେ।
ଆୟୁର୍ବେଦରେ ଫଳ ମଧ୍ୟରେ କେତେକ ଘରୋଇ ଉପଚାର ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ସାହାଯ୍ୟରେ ଆପଣ ନିଜ ପିଲାମାନଙ୍କ ବିଛଣାରେ ପରିସ୍ରା କରିବା ଅଭ୍ୟାସକୁ ବନ୍ଦ କରିଦେଇ ପାରିବେ। ଆସନ୍ତୁ ଜାଣିବା-
ଶୁଖିଲା ଖଜୁରୀ: ଯେଉଁ ପିଲାମାଏ ଶେଯରେ ପରିସ୍ରା କରିଦିଅନ୍ତି ଶୋଇବା ପୂର୍ବରୁ ସେମାନଙ୍କୁ ଶୁଖିଲା ଖଜୁରୀ ଖୁଆଇ ଦିଅନ୍ତୁ। ଏହା ମଧ୍ୟ ମନେରଖନ୍ତୁ ଯେ ସନ୍ଧ୍ୟା ପରେ ସେମାନଙ୍କୁ ତରଳ ପଦାର୍ଥ ଦିଅନ୍ତୁ ନାହିଁ ଏବଂ ସେମାନଙ୍କୁ ଖାଦ୍ୟରେ ଆଳୁ ହାଲ୍ୱା କରି ଖାଇବାକୁ ଦିଅନ୍ତୁ।
ଅଖରୋଟ୍: ପିଲାମାନଙ୍କୁ ପ୍ରତିଦିନ ଦୁଇଟି ଅଖରୋଟ୍ ବା ୧୦-୧୨ଟି କିସ୍ମିସ୍ ୧୫-୨୦ ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ। ବିଛଣାରେ ପରିସ୍ରା କରିବାର ଅଭ୍ୟାସ ଦୂର ହୋଇଯିବ।
ଅଁଳା: ଗୋଟିଏ ଗ୍ରାମ ଅଁଳା ଗୁଣ୍ଡ, ଗୋଟିଏ ଗ୍ରାମ କଳା ଜିରା ଗୁଣ୍ଡ ଏବଂ ଦୁଇ ଗ୍ରାମ ମିଶ୍ରି ଗୁଣ୍ଡ ମିଶାଇ ପିଲାକୁ ଗୋଟିଏ ଚାମଚ ଖାଇବାକୁ ଦିଅନ୍ତୁ। ଏହା ପରେ ଥଣ୍ଡା ପାଣି ପିଆନ୍ତୁ।
ଏହା ବ୍ୟତୀତ ୫୦ ଗ୍ରାମ ଶୁଖିଲା ଅଁଳା ଏବଂ ୫୦ ଗ୍ରାମ କଳା ଜିରା ଗୁଣ୍ଡ କରି ଏହାକୁ ୩୦୦ ଗ୍ରାମ ଶୁଦ୍ଧ ମହୁରେ ମିଶାନ୍ତୁ। ପିଲାମାନଙ୍କୁ ସକାଳ ଏବଂ ସନ୍ଧ୍ୟାରେ ଏଥିରୁ ଛଅ ଗ୍ରାମ ଚାଟିବାକୁ ଦିଅନ୍ତୁ।
କଦଳୀ: ଖଣ୍ଡେ କଦଳୀ ଓ ଅଳ୍ପ ଅଁଳା ରସ ସହିତ ସ୍ୱାଦ ଅନୁଯାୟୀ ଚିନି ମିଶାଇ ପିଲାକୁ ପିଆନ୍ତୁ। ଏହା ଦ୍ୱାରା ପିଲାକୁ ବାରମ୍ବାର ପରିସ୍ରା ଆସିବା ବନ୍ଦ ହେଇଯିବ।
ଜାମୁ: ଜାମୁ ମଞ୍ଜିର ପାଉଡରକୁ ପାଣିରେ ମିଶାଇ ପିଲାକୁ ପିଇବାକୁ ଦିଅନ୍ତୁ। ପିଲା ବିଛଣାରେ ପରିସ୍ରା କରିବା ବନ୍ଦ କରିଦେବ।