ଆସନ୍ତା ମାସରୁ ରାଜଧାନୀରେ ଆରମ୍ଭ ହେବ କୁକୁର ଗଣନା: ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଲା BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଅନେକ ସମୟରେ ବୁଲା କୁକୁରମାନେ ଯାତ୍ରୀଙ୍କୁ ହଇରାଣ କରିଥାନ୍ତି । ଏପରିକି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ କୁକୁର ଗୋଡ଼େଇବା କାରଣରୁ ରାଜଧାନୀରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ଅନେକ ଲୋକ କୁକୁର କାମୁଡ଼ାରେ ଆହତ ମଧ୍ୟ ହୋଇଥିଲେ । ତେବେ ରାଜଧାନୀରେ କେତେ ସଂଖ୍ୟକ କୁକୁର ରହିଛନ୍ତି ତାହା ଜାଣିବା ପାଇଁ ଗଣନା କରିବା ପାଇଁ ଗତବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଷ୍ପତ୍ତି ନେଇଥିଲା ।

ସୂଚନା ମୁତାବକ, ଆସନ୍ତା ମେ’ ମାସରେ ରାଜଧାନୀରେ କୁକୁର ଗଣନା ଆରମ୍ଭ ହେବ । ଏଥିପାଇଁ ମହାରାଷ୍ଟ୍ରର ଏକ ଘରୋଇ ସଂସ୍ଥାକୁ ବିଏମସି ଦାୟିତ୍ୱ ଦେଇଛି । ରାଜଧାନୀର ପ୍ରତି ୱାର୍ଡ ଓ ସାହିରେ କୁକୁର ଗଣନା କରାଯିବା ସହ ପ୍ରତି କୁକୁର ପିଛା ୧୬୫୦ ଟଙ୍କା ଖର୍ଚ୍ଚ କରାଯିବ । କୁକୁର ସଂଖ୍ୟା ଜଣାପଡ଼ିବା ପରେ ସେମାନଙ୍କର ବନ୍ଧ୍ୟାପରଣ କରାଯିବ । ୬ ମାସ ମଧ୍ୟରେ ଉଭୟ ବୁଲା ଓ ପୋଷା କୁକୁରଙ୍କ ଗଣନା କାର୍ଯ୍ୟ ସମାପ୍ତ କରିବାକୁ ବିଏମସି ପକ୍ଷରୁ କୁହାଯାଇଥିଲା । ତେବେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ବିଏମସିର କର୍ପୋରେସନ ବୈଠକରେ ଏ ବାବଦରେ ସବିଶେଷ ଆଲୋଚନା କରାଯିବ ।

ପ୍ରାତଃ ଭ୍ରମଣ ସମୟରେ ରାଜଧାନୀରେ କୁକୁରମାନେ ବରିଷ୍ଠ ନାଗରିକଙ୍କୁ ଗୋଡ଼ାଉଥିବା ଅଭିଯୋଗ ହୋଇଛି । ଏଥିସହିତ ପ୍ରତି ଗଳି କନ୍ଦିରେ ମାଳ ମାଳ ହୋଇ କୁକୁର ବୁଲୁଥିବାରୁ ସେମାନେ ଅଧିକାଂଶ ସମୟରେ ଭୁକିବା ସହ ଆକ୍ରମଣ କରିଥାନ୍ତି । ଏପରିକି କୁକୁରମାନେ ଗାଡ଼ି ଆଗକୁ ହଠାତ୍ ଚାଲିଆସିବା ଫଳରେ ଅନେକ ଦୁର୍ଘଟଣା ଘଟିଥାଏ । ତେବେ କୁକୁର ବନ୍ଧ୍ୟାକରଣ ପାଇଁ ମଞ୍ଚେଶ୍ୱରଠାରେ ଏକ ଅତ୍ୟାଧୁନିକ ବୃହତ ଷ୍ଟାରିଲାଇକ କେନ୍ଦ୍ର ସ୍ଥାପନ କରାଯାଇ ଏକସେଙ୍ଗ ୧୫୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇ ପାରିବ । ବିଏମସି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଜନସାଧାରଣଙ୍କ ହିତସାଧନ କରିବ ।