ପୁଣି ଟ୍ରମ୍ପଙ୍କ ବଡ଼ ବୟାନ: “ଆମେ ରୋକିଛୁ ଭାରତ-ପାକିସ୍ତାନ ଯୁଦ୍ଧ, ପରମାଣୁ ବିପତ୍ତିର ନେଇଥାନ୍ତା ରୂପ”

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିଛନ୍ତି।

ନୂଆଦିଲ୍ଲୀ: ଆମେରିକାର ଦୋମୁହାଁ ନୀତି କାହାକୁ ଅଛପା ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବିକି ନି​‌ଜେ ଫାଇଦା ଉଠାଇବା ହେଉଛି ଆମେରିକାର ପ୍ରବୃତ୍ତି। ଭାରତ-ପାକିସ୍ତାନ ବିବାଦରେ ବି ନିଜର ଫାଇଦା ଉଠାଇବାକୁ ଲାଗି ପଡ଼ିଛି ଆମେରିକା। ଯଦିଓ ଅସ୍ତ୍ରଶସ୍ତ୍ର ବିକିବା ଜରିଆରେ ନୁହେଁ, କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଃବାଃ ନେବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି । ଦୁଇ ଦେଶ ମଧ୍ୟରେ ଯୁ୍ଦ୍ଧବିରତି ହେବା ପରେ ତାହାର ଶ୍ରେୟ ନେବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି ଟ୍ରମ୍ପ । ଏବେ ପୁଣିଥରେ ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିଛନ୍ତି।

ଏହାସହ ପରସ୍ପର ଉପରେ ଗୁଳି ଚଳାଇଥିବା ଲୋକଙ୍କ ସହିତ କୌଣସି ପ୍ରକାର ବ୍ୟବସାୟ କରିପାରିବେ ନାହିଁ ବୋଲି କହିଛନ୍ତି ଟ୍ରମ୍ପ । କୋଟିପତି ବ୍ୟବସାୟୀ ଏବଂ ଟେସଲା ସିଇଓ ଏଲୋନ ମସ୍କଙ୍କ ସହିତ ଓଭାଲ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପ କହିଛନ୍ତି, ଆମେ ଭାରତ ଏବଂ ପାକିସ୍ତାନକୁ ଯୁଦ୍ଧ କରିବାରୁ ରୋକିଛୁ। ମୁଁ ବିଶ୍ୱାସ କରେ ଏହା ଏକ ପରମାଣୁ ବିପର୍ଯ୍ୟୟରେ ପରିଣତ ହୋଇପାରିଥାନ୍ତା।

ଟ୍ରମ୍ପ କହିଛନ୍ତି, ସେ ଭାରତ ଓ ପାକିସ୍ତାନର ନେତାମାନଙ୍କୁ ଏବଂ ତାଙ୍କ ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହାଁନ୍ତି। ଆମେ ବାଣିଜ୍ୟ ବିଷୟରେ କଥା ହୋଇ କହିଥିଲୁ ଯେ ‘ଆମେ ପରସ୍ପର ଉପରେ ଗୁଳି ଚଳାଇଥିବା ଏବଂ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ସମ୍ଭାବନା ଥିବା ଲୋକଙ୍କ ସହିତ ବ୍ୟବସାୟ କରିପାରିବୁ ନାହିଁ।’

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜମ୍ମୁ କଶ୍ମୀରର ପହଲଗାମରେ ଗତମାସ ଅର୍ଥାତ୍ ଏପ୍ରିଲ 22 ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 26 ଜଣଙ୍କ ମୃତ୍ୟୁ ହୋଇଥିଲା । ଏବଂ ଏହାର ପ୍ରାୟ ଦୁଇ ସପ୍ତାହ ପରେ, ଭାରତ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରି ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ସୀମାର ଉଭୟ ପାର୍ଶ୍ୱରୁ ଚାରି ଦିନ ଧରି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମେ 10ରେ ସଂଘର୍ଷ ବନ୍ଦ କରିବାକୁ ରାଜି ହୋଇଥିଲେ।