ଗଧ ଦେଶ ପାକିସ୍ତାନ, ଅର୍ଥନୀତିରେ ଗ୍ରହଣ କରିଛି ପ୍ରମୁଖ ଭୂମିକା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଜାରି କରାଯାଇଥିବା ପାକିସ୍ତାନର ଆର୍ଥିକ ସର୍ଭେରେ ଦର୍ଶାଯାଇଛି କି ପାକିସ୍ତାନରେ ଗଧଙ୍କ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହୋଇଛି । ପାକିସ୍ତାନ ଅର୍ଥନୀତିରେ ଗଧ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏଥିରେ ଦର୍ଶାଯାଇଛି । ସେହିପରି ପାକିସ୍ତାନ ଅର୍ଥନୀତିରେ ଚାଷକାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି । ତେବେ ଚୀନ୍‌କୁ ଗଧ ରପ୍ତାନୀ କରି ପାକିସ୍ତାନ ତା’ର ଅର୍ଥନୀତିକୁ କିଛିମାତ୍ରାରେ ସୁଧାରିପାରିଛି ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

ସେହିପରି ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଚାଷକାର୍ଯ୍ୟ ଉପରେ ବି ପାକିସ୍ତାନ ଅର୍ଥନୀତି ନିର୍ଭର କରିଥାଏ । ଜୀବଜନ୍ତୁଙ୍କୁ ବିଶେଷ ପ୍ରାଧାନ୍ୟ ଦେଇ ୨୦୨୧ ମସିହାରେ ପାକିସ୍ତାନର ହିଟ୍‌ ଆନିମେଟେଡ୍‌ ଚଳଚ୍ଚିତ୍ର ‘ଡଙ୍କି କିଙ୍ଗ୍‌’ ଚୀନ୍‌ରେ ରିଲିଜ୍‌ କରାଯାଇଥିଲା । ତେବେ ଏହାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯିବା ସହ ଡଙ୍କି ରାଜାଙ୍କ ସରକାର ଚାଲିବ ନାହିଁ ବୋଲି ସ୍ଳୋଗାନ ଦିଆଯାଇଥିଲା । ବର୍ତ୍ତମାନର ତାଜା ସର୍ଭେ ଅନୁଯାୟୀ ପାକିସ୍ତାନରେ ଗଧଙ୍କ ସଂଖ୍ୟା ୨୦୨୧-୨୨ରେ ୫.୭ ମିଲିୟନ୍‌କୁ ବୃଦ୍ଧି ପାଇଛି । ୨୦୧୯-୨୦ରେ ଏହି ଗଧଙ୍କ ସଂଖ୍ୟା ୫.୬ ମିଲିୟନ୍‌ ଥିଲା । ଗଧସଂଖ୍ୟାରେ ପାକିସ୍ତାନ ଏବେ ବିଶ୍ୱର ତୃତୀୟ ବୃହତ୍‌ ଦେଶ ଭାବେ ନିଜକୁ ନାମିତ କରିଛି ।