fbpx

ଆଇଭିଏଫ୍ ଦ୍ୱାରା ମା’ ହୋଇଥିବା ମହିଳାଙ୍କୁ ପଚାରନ୍ତୁ ନାହିଁ ବାପାଙ୍କ ନାଁ: କେରଳ ହାଇକୋର୍ଟ

କୋଚି: ଜଣେ ମହିଳା ଯଦି ଆଇଭିଏଫ୍ ପ୍ରକ୍ରିୟାରେ ମା’ ହୋଇଛନ୍ତି ତେବେ ସେମାନଙ୍କୁ ଜନ୍ମ ପ୍ରମାଣ କରିବା ବେଳେ ବାପାଙ୍କ ନାଁ ପଚାରିବା ତାଙ୍କ ପ୍ରତି ଅସମ୍ମାନ ହୋଇଥାଏ । ଏନେଇ କେରଳ ହାଇକୋର୍ଟ ନିର୍ଣ୍ଣୟ ଦେଇ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାର ଅଲଗା ତଥା ସ୍ୱତନ୍ତ୍ର ଏକ ଆବେଦନ ପତ୍ର ତିଆରି କରାଯାଉ । ଏଥିସହିତ କହିଛନ୍ତି ଯେ, ଏପରି କରିବା ଦ୍ୱାରା ମାଆ ଏବଂ ପିଲା ପ୍ରତି ଅସମ୍ମାନଜନକ ହୋଇଥାଏ ।

ଆବେଦନରେ ଜଣେ ମହିଳା କହିଛନ୍ତି ଯେ, ଆଇଭିଏଫ୍ ଜରିଆରେ ସେ ଗର୍ଭବତୀ ହୋଇଛନ୍ତି । ଏବେ ସେ ୮ ମାସର ଗର୍ଭବତୀ ହୋଇଛନ୍ତି । ଜନ୍ମ-ମୃତ୍ୟୁ ପଞ୍ଜୀକରଣ ନିୟମାବଳୀ ୧୯୭୦ ଅଧୀନରେ ତାଙ୍କୁ ଜନ୍ମ ପ୍ରମାଣ ପତ୍ର ଆବେଦନ କରିବାକୁ ହେଲେ ପିଲାର ବାପାଙ୍କ ନାଁ ଲେଖିବାକୁ ହେବ । ହେଲେ ସେ କହିଛନ୍ତି ଯେ, ସେ ଚାହିଁ ମଧ୍ୟ ବାପାଙ୍କ ନାଁ କହିପାରିବେ ନାହିଁ । କାରଣ ଆଇଭିଏଫ୍ ରେ ଶୁକ୍ରାଣୁ ଦାନକର୍ତ୍ତାଙ୍କର ନାଁ ନିଆଯାଇନଥାଏ । ତେଣୁ ପିଲାର ବାପାଙ୍କ ନାଁ ଥିବା କଲମ୍ କୁ ଖାଲି ଛାଡ଼ିବା ତାଙ୍କର ନିଜସ୍ୱ, ସ୍ୱତନ୍ତ୍ରତା ତଥା ସମ୍ମାନର ଉଲଂଘନ ହୋଇଥାଏ । ଏଥିରେ ସେ ଏହାକୁ ଖାଲି ଛାଡି ପାରିବେ ନାହିଁ ।

ତେବେ ଏହି ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଆଇଭିଏଫ୍ ଜରିଆରେ ମାଆ ହେବା କୌଣସି ବି ଏକକ ମହିଳାଙ୍କ ଅଧିକାର ରହିଛି । ଯଦି ବାପାଙ୍କ ନାଁ ଗୁପ୍ତ ରହିଛଇ । ତେବେ ଏଠାରେ ତାଙ୍କୁ ବାପାଙ୍କ ନାଁ ପଚାରିବା ଦ୍ୱାରା ମହିଳାଙ୍କ ସମ୍ମାନ ହାନି ହୋଇଥାଏ । ତେଣୁ ଏହି ଆଧାରରେ ଆଇଭିଏଫ୍ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଆବେଦନ ପତ୍ର ରହିବା ଦରକାର ବୋଲି ହାଇକୋର୍ଟ କହିଛନ୍ତି । ଅର୍ଥାତ୍ ପ୍ରମାଣ ପତ୍ର ପାଇଁ ସ୍ୱତନ୍ତ୍ର ଫର୍ମ ଉପଲବ୍ଧ କରିବାକୁ ଆଦେଶ ଦେଇଛନ୍ତି କୋର୍ଟ ।

 

Get real time updates directly on you device, subscribe now.