fbpx

ମଙ୍ଗଳ ଗ୍ରହରୁ ମିଳିଲା ‘Donut’ ଆକାରର ଏକ ବିଚିତ୍ର ପଥର: ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ପଥରର ସନ୍ଧାନ ମିଳିଛି । ଏହି ‘ଡୋନଟ’ ଆକାରର ପଥରକୁ ଦେଖି ବୈଜ୍ଞାନିକମାନେ ବି ତାଜୁବ ହୋଇଯାଇଛନ୍ତି । ଏହି ରହସ୍ୟମୟ ପଥରକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏହା ପଛରେ କୌଣସି ଏଲିୟନ ଜୀବର ହାତ ରହିଥିବା ଆଶଙ୍କା କରାଯାଉଛି । ଏହି ବିଚିତ୍ର ପଥରକୁ ପର୍ସିଭରେନ୍ସ ରୋଭର ଠାବ କରିଥିବା ଜଣାପଡ଼ିଛି ।

ଏହି ପଥରର ମଝି ଭାଗରେ ଏକ ବୃତ୍ତାକାର କଣା ରହିଛି । ଏହା ପୂର୍ବରୁ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ପଥରର ସନ୍ଧାନ ମିଳିଥିଲା । ଗତ ମାସ ୨୨ ତାରିଖରେ ଡୋନଟର ଫଟୋ ଉତ୍ତୋଳନ କରାଯାଇଥିଲା । ମଙ୍ଗଳ ଗ୍ରହରୁ ଏପରି ପଥର ମିଳିବା ଏକ ସାଧାରଣ କଥା । କାରଣ ସେଠାରେ ବାୟୁ ଓ ଧୂଳି ସହିତ ତୋଫାନ ବାରମ୍ବାର ଦେଖିବାକୁ ମିଳିଥାଏ । ଏହା ଫଳରେ ପଥର ଉପରେ ତୀବ୍ର ଭାବେ ଘର୍ଷଣ ହୋଇଥାଏ । ୨୦୧୪ରେ ଜେଲି ଡୋନଟ ପରି ଏକ ଚଟାଣକୁ ଅପର୍ଚ୍ୟୁନିଟୀ ରୋଭର ଠାବ କରିଥିଲା ।

ଠାବ ହୋଇଥିବା ଡୋନଟର ରଙ୍ଗ ବାଦାମୀ ହୋଇଥିବା ବେଳେ ଏହି ପଥର ନିକଟରେ ଅନେକ ଛୋଟ ଛୋଟ ପଥର ପଡ଼ି ରହିଛି । ଏହି ପଥର ମଙ୍ଗଳ ଗ୍ରହର ସ୍ଥାନୀୟ ବେଡରକର ଅଂଶ ହୋଇଥିବା ବେଳେ ଅନ୍ୟ ପଥରର ରଙ୍ଗ ଓ ଆକାରଠାରୁ ଏହା କାହିଁକି ଭିନ୍ନ ସେନେଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା କୌଣସି ଉଲକାପିଣ୍ଡର ଏକାଧିକ ଖଣ୍ଡ ହୋଇଥାଇପାରେ । ଗତ ଏପ୍ରିଲ ମାସ ୧୫ ତାରିଖରେ ଏହି ଚଟାଣର ଫଟୋ ପର୍ସିଭରେନ୍ସ ରୋଭର ମାଷ୍ଟକ୍ୟାମ ଜେଡ କ୍ୟାମେରାରେ ଉତ୍ତୋଳନ କରିଥିଲା । ପାଖାପାଖି ୪୦୦ ମିଟର ଦୂରରୁ ଏହି ଫଟୋ ନିଆଯାଇଥିବା ବେଳେ ଏହାକୁ ଫଟୋଜର୍ନାଲ ପେଜରେ ଶେୟାର କରାଯିବା ପରେ ତାହା ଦ୍ରୁତ ଭାବେ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.