fbpx
BJD SKY
BJD SKY

Team India ପାଇଁ ପାକିସ୍ତାନର ନୂଆ ପ୍ଲାନ: ଏହି ଷ୍ଟାଡିୟମରେ ଚମ୍ପିଆନ୍ସ ଟ୍ରଫି ଖେଳିବ ଭାରତ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସାରା କ୍ରିକେଟ ଜଗତରେ ଆଇପିଏଲ ଫିଭର ଜାରି ରହିଛି । ଏହାଭିତରେ ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ମଧ୍ୟ ଅପେକ୍ଷ ରହିଛି । କିନ୍ତୁ ପାକିସ୍ତାନ ବୋର୍ଡ ଆଗାମୀ ବର୍ଷର ଚମ୍ପିଆନ୍ସ ଟ୍ରଫି ଆୟୋଜନ ପାଇଁ ବ୍ୟସ୍ତ ରହିଛି । ପ୍ରାୟ ୭ ବର୍ଷ ପରେ ଆସନ୍ତାବର୍ଷ ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ ହେବାକୁ ଯାଉଛି । ତେବେ ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ସାମିଲ ହେବାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ପାକିସ୍ତାନ ଟିମ ଇଣ୍ଡିଆ ପାଇଁ ନଜିର ପ୍ଲାନ କରିସାରିଥିବା ରିପୋର୍ଟରୁ ପ୍ରକାଶ ପାଇଛି । ଟୁର୍ଣ୍ଣାମେଣ୍ଟରେ ଭାରତ କେଉଁ ଷ୍ଟାଡିୟମରେ ମ୍ୟାଚ ଖେଳିବ, ସେ ନେଇ ଡ୍ରାଫ୍ଟ ପଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ଆସନ୍ତାବର୍ଷ ପାକିସ୍ତାନରେ ୮ଟି ଟିମକୁ ନେଇ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ପାକିସ୍ତାନ । ଏହାପୂର୍ବରୁ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସିକୁ ଡ୍ରାଫ୍ଟ ସିଡ୍ୟୁଲ ଏବଂ ଭେନ୍ୟୁ ପଠାଇଛି । ପାକିସ୍ତାନର ରାୱଲପିଣ୍ଡି, ଲାହୋର ଏବଂ କରାଚୀରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନ କରିବା ନେଇ ଯୋଜନା କରୁଥିବା ରିପୋର୍ଟରୁ ଜଣାଯାଇଛି । ତେବେ ଏହି ୩ଟି ଷ୍ୟାଡିୟମ ଭିତରୁ ଟିମ ଇଣ୍ଡିଆ ପାଇଁ ପାକିସ୍ତାନ ଏକ ଷ୍ଟାଡିୟମ ଚୟନ କରିଥିବା କୁହାଯାଉଛି । ପିସିବି ଚମ୍ପିଆନ୍ସ ଟ୍ରଫିରେ ଭାରତର ସମସ୍ତ ମ୍ୟାଚ ଲାହୋରରେ ଆୟୋଜନ କରିବାକୁ ଚାହୁଁଛି ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି ।

ଯାତାୟତରେ ସମସ୍ୟା ନ ହେବା ସହ ଖେଳାଳି ଏବଂ ସଦସ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଭାରତର ସମସ୍ତ ମ୍ୟାଚ ଗୋଟିଏ ସହରରେ ରଖିବାକୁ ନିଷ୍ପତ୍ତି ନେଇଛି । ଏଠାରେ କଡ଼ା ସୁରକ୍ଷା ସହ ବିପଦର ଆଶଙ୍କା କମ୍ ହେବ ବୋଲି ଆଶା ରହିଛି । ଏହାବ୍ୟତୀତ ଭାରତ ଏବଂ ଲାହୋର ମଧ୍ୟରେ ଦୂରତା କମ୍ ରହୁଥିବାରୁ ଏହା ଭାରତୀୟ ଦଳ ଏବଂ ଫ୍ୟାନ୍ସମାନଙ୍କୁ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ସୁଯୋଗ ଦେବ । ତେବେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇ ସାରିଥିଲେ ମଧ୍ୟ ଶେଷ ନିଷ୍ପତ୍ତି ଏବେ ଭାରତ ହାତରେ ରହିଛି । ୨୦୦୮ ଏସିଆ କପ୍ ପରେ ଭାରତ ପାକିସ୍ତାନ ଗସ୍ତରୁ ଲଗାତାର ଦୂରେଇ ରହିଛି । ୨୦୦୮ ମସିହା ମୁମ୍ବାଇ ଆକ୍ରମଣରେ ପାକିସ୍ତାନର ହାତ ଥିବା ଜଣାପଡ଼ିବା ପରେ ଭାରତ ସରକାର ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତ ଉପରେ ରୋକ ଲଗାଇଛନ୍ତି ।

ଅନ୍ୟ ୬ଟି ଦଳ ପାକିସ୍ତାନ ଯିବା ପାଇଁ ପ୍ରସ୍ତୁତ ଥିବା ବେଳେ ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ନେଇ ଆଶଙ୍କା ଲାଗି ରହିଛି । ଗତବର୍ଷ ପାକିସ୍ତାନରେ ଏସିଆ କପ୍ ଆୟୋଜିତ ହୋଇଥିବା ବେଳେ ଭାରତ ପାକିସ୍ତାନ ଗସ୍ତରୁ ନିବୃତ୍ତ ରହିଥିଲା । ଫଳରେ ଏହାକୁ ହାଇବ୍ରିଡ ମଡେଲରେ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ କରିଥିଲା ପାକିସ୍ତାନ ବୋର୍ଡ । ତେବେ ଚମ୍ପିଆନ୍ସ ଟ୍ରଫିକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇ ନଥିବା ବେଳେ ପାକିସ୍ତାନ ଏ ନେଇ ପ୍ରସ୍ତୁତି ଜାରି ରଖିଛି ।

Get real time updates directly on you device, subscribe now.