fbpx

ଭେଣ୍ଟିଲେଟର୍ ଓ ଅକ୍ସିଜେନ୍ ଅଭାବରୁ ଆଖି ବୁଜିଲେ ଡାକ୍ତର ଦିଲ୍ଲୀପ ଷଡଙ୍ଗୀ

ବଲାଙ୍ଗୀର, ୧୮ା୪ (ଓଡିଶା ଭାସ୍କର) : ଦୁଇ ଡୋଜ୍ ଟିକା ନେବା ପରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ଅଭାବରୁ ଆଖି ବୁଜିଲେ ଡାକ୍ତର ଦିଲ୍ଲୀପ ଷଡଙ୍ଗୀ । ଲୋକଙ୍କୁ ଚିକିତ୍ସା କରି କରି ନିଜେ ଚିକିତ୍ସା ନପାଇ ମୃତ୍ୟୁବରଣ କରିଛନ୍ତି ଦିଲ୍ଲୀପ । ରାଜ୍ୟରେ ଟିକାକରଣ ଆରମ୍ଭ ହେବାପରେ ଜଣେ କରୋନା ଯୋଦ୍ଧା ଭାବେ ଡାକ୍ତର ଦିଲ୍ଲୀପ ଷଡଙ୍ଗୀ ପ୍ରଥମ ପର୍ଯ୍ୟାୟରେ ଦୁଇଟି ଡୋଜ୍ ଟିକା ନେଇଥିଲେ । ହେଲେ ଟିକା ନେବାର ଦୁଇମାସ ପରେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଆଉ ସଂକ୍ରମଣର ୫ଦିନ ମଧ୍ୟରେ ଠିକ୍ ଭାବରେ ଚିକିତ୍ସା ନପାଇ ଭେଣ୍ଟିଲେଟର୍ ଓ ଅକ୍ସିଜେନ୍ ଅଭାବରୁ ଆଖି ବୁଜିଛନ୍ତି ଡା. ଦିଲ୍ଲୀପ ।

ବଲାଙ୍ଗୀରରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ପରଠାରୁ ପୁଣିଥରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇନଥିଲା । ତେଣୁ ସେଠାକର ଲୋକଙ୍କୁ କରୋନା ଦ୍ୱାରା ସଂକ୍ରମିତ ହେଲେ ଘରେ ଆଇସୋଲେସନ୍ ରେ ରହିବାକୁ କୁହାଯାଉଥିଲା । ତେବେ ଡା. ଦିଲ୍ଲୀପ ନିଜର ଅଧିକାଂଶ ସମୟ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଚିକିତ୍ସା କରି ବିତେଇଥିବା ବେଳେ ସେ ମଧ୍ୟ କରୋନାର ସଂସ୍ପର୍ଶରେ ଆସିଯାଇଥିଲେ । ତେଣୁ ସେ କରୋନା ସଂକ୍ରମିତ ହେବା ପରେ ପରାମର୍ଶ ଅନୁସାରେ ଘରେ ଆଇସୋଲେସନ୍ ରେ ରହିବାକୁ ତାଙ୍କୁ କୁହାଯାଇଥିଲା । ହେଲେ ୪ ଦିନ ପରେ ସେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ଅପରାହ୍ନରେ ବରଗଡସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ହେଲେ ସେଠାରେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଏବଂ ଭେଣ୍ଟିଲେଟର୍ ର ବ୍ୟବସ୍ଥା ନଥିବାରୁ ଫେରାଇ ଦିଆଯାଇଥିଲା । ଏହାପରେ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ଯିବା ପାଇଁ ବାହାରିଥିଲେ । କିନ୍ତୁ ହସ୍ପିଟାଲକୁ ଯିବା ବାଟରେ ଅପରାହ୍ନ ପ୍ରାୟ ୩ଟାରେ ବୌଦ୍ଧଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଭୁବନେଶ୍ୱର ଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ହେବା କଥା ଶୁଣି ଭୁବନେଶ୍ୱରରେ ରହି ପଢ଼ୁଥିବା ତାଙ୍କ ଝିଅ ଆସିବାପରେ ରାତି ପ୍ରାୟ ୧୦ଟା ୩୦ରେ ସ୍ଥାନୀୟ ଟିଟିଲାଗଡ ରୋଡସ୍ଥିତ ସ୍ୱର୍ଗଦ୍ୱାରରେ ଶବ ଦାହ କରାଯାଇଥିଲା । ବର୍ତ୍ତମାନ ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶେ।।କର ଛାୟା ଖେଳିଯାଇଛି ।

ଡା. ଦିଲ୍ଲୀପ ଷଡଙ୍ଗୀ ହେଉଛନ୍ତି ବଲାଙ୍ଗୀରର ସାଗରପଡାର ସ୍ଥାନୀୟ ବାସିନ୍ଦା । ସେ ଦୁର୍ଗମ ଇଲାକାର ଲୋକଙ୍କ ଚିକିତ୍ସା କରିବାପାଇଁ ଲକ୍ଷ୍ୟ ରଖି କେବେବି ସହରାଞ୍ଚଳ ମୁହାଁ ହୋଇନାହାନ୍ତି । ଖାଲି ବଲାଙ୍ଗୀର ନୁହେଁ କଳାହାଣ୍ଡି, ସୁବର୍ଣ୍ଣପୁର ଆଦି ଜିଲ୍ଲାର ନିପଟ ମଫସଲ ଲୋକଙ୍କୁ ମଧ୍ୟ ଚିକିତ୍ସା ଯୋଗାଉଥିଲେ । ତାଙ୍କ କହିବା କଥା ଯେ, ଏହି ନିପଟ ମଫସଲ ଇଲାକାରେ ବସବାସ କରୁଥିବା ଲୋକଙ୍କୁ ସହର ଯାଇ ଚିକିତ୍ସା କରିବାରେ ବହୁ ଅସୁବିଧାର ସାମନା କରିବାକୁ ପଡେ । ତେଣୁ ସେ ବିଭିନ୍ନ ଜିଲ୍ଲାରେ ନିପଟ ଗାଁ ମାନ ବୁଲି ଚିକିତ୍ସା କରୁଥିଲେ । ସେ ୧୯୮୮ ମସିହାରେ ଆୟୁର୍ବେଦ ମହାବିଦ୍ୟାଳୟରୁ ବିଏଏମଏସ୍ ହାସଲ କରିଛନ୍ତି । ଏହାପରେ ତାଙ୍କର କଳାହାଣ୍ଡି ଜିଲ୍ଳାକୁ ପୋଷ୍ଟିଂ ହୋଇଥିଲା । ଏହାର କିଛି ଦିନ ପରେ ଯେତେବେଳେ ତାଙ୍କର ପୋଷ୍ଟିଂ କରିବା କଥା ଉଠିଲା ସେତେବେଳେ ସେ ସହରକୁ ଯିବାକୁ ବାଛି ନଥିଲେ ବରଂ ମଫସଲ ଅଞ୍ଚଳକୁ ଯିବାକୁ ଇଛା ପ୍ରକାଶ କରିଥିଲେ । ତେଣୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଳାର ସାଗରପାଲି ସ୍ୱାସ୍ଥ୍ୟକେନ୍ଦ୍ର ରେ ନିଯୁକ୍ତି ଦିଆଯାଇଥିଲା ।

Get real time updates directly on you device, subscribe now.