fbpx

ପ୍ରଦୂଷିତ ପାଣିରୁ ଜାତ ଆଳୁ, ଗାଜର, ଟମାଟୋ ଖାଆନ୍ତୁନି: ନାଳ ପାଣି ବଢ଼ାଇବ କ୍ୟାନସର, ଚର୍ମ ଓ ପେଟରୋଗ- କୃଷି ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତର ଏକ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ କୃଷକଙ୍କ ବିକାଶ ସହିତ ରୋଜଗାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଅନେକ କ୍ଷେତ୍ରରେ କୃଷକମାନେ ନାଳର ମଇଳା ପାଣିକୁ ନେଇ ନିଜ ଫସଲରେ ମଡ଼ାଇଥାନ୍ତି । ଏହାଦ୍ୱାରା ଫସଲରେ କୌଣସି ପ୍ରଭାବ ପଡ଼ିନଥାଏ ବୋଲି ସମସ୍ତଙ୍କର ଧାରଣା ଥାଏ । ମାତ୍ର ଏହା ସମ୍ପୂର୍ଣ୍ଣ ଭୁଲ୍ । କୃଷି ବିଶେଷଜ୍ଞ ଏ ବାବଦରେ ଭିନ୍ନ ମତ ଦେଇଛନ୍ତି ।

ଏ ବାବଦରେ ବିହାରର ଡାକ୍ତର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡା. ଆର.ସି ଶ୍ରୀବାସ୍ତବ କିଛି ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛ ଓ ପରିଷ୍କାର ପାଣିର ଅଭାବ କାରଣରୁ ଅନେକ ସମୟରେ କୃଷକମାନେ ନାଳରେ ଯାଉଥିବା ଖରାପ ପାଣି ଶସ୍ୟରେ ମଡ଼ାଇଥାନ୍ତି । ଏପରି ସ୍ଥଳେ ପ୍ରଦୂଷିତ ପାଣିର ପ୍ରଭାବ ଫସଲ ଉପରେ ପଡ଼ିବା ସହିତ ତାହାକୁ ସେବନ କରିବା ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ଏହି ମଇଳା ପାଣି ପ୍ରଥମେ ନାଳରୁ ଫସଲକୁ ଓ ତା’ପରେ ଫସଲରୁ ମଣିଷର ପେଟକୁ ଯାଇଥାଏ ।

ତେବେ ଏହି ମଇଳା ପାଣିରୁ ଜାତ ଫସଲକୁ ସେବନ କରିବା ଫଳରେ କ୍ୟାନସର ସହିତ ଅନେକ ଚର୍ମ ରୋଗ ହେବାର ସମ୍ଭାବନା ରହିଥାଏ । ତେଣୁ ଏହି ଫସଲକୁ ଆପଣମାନେ ଖାଇବା ଅନୁଚିତ । ଏଥିସହିତ ଏହି ପାଣିର ବ୍ୟବହାର ଶସ୍ୟକ୍ଷେତ୍ରରେ ନ କରିବା ପାଇଁ କୃଷକଙ୍କୁ ପରାମର୍ଶ ଦେବା ଜରୁରୀ । ଖାସ୍ କରି ସହର ନିକଟସ୍ଥ କୃଷକମାନେ ଫସଲରେ ପ୍ରଦୂଷିତ ପାଣିରେ ସିଞ୍ଚନ କରିଥାନ୍ତି । ଏହି ପ୍ରଦୂଷିତ ପାଣିର ପ୍ରଭାବରେ ଆଳୁ, ଟମାଟୋ, ଗାଜର ପରି ସବଜି ଉପରେ ପଡ଼ିଥାଏ । ପରିଣାମ ସ୍ୱରୂପ ତାହାକୁ ଖାଉଥିବା ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବୋଲି ଡା. ଶ୍ରୀବାସ୍ତବ କହିଛନ୍ତି ।

Get real time updates directly on you device, subscribe now.