fbpx

ପାକିସ୍ତାନୀ ବୋଟରୁ ଅସ୍ତ୍ରଶସ୍ତ୍ର ସହ ୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ; କୋଷ୍ଟ ଗାର୍ଡ ସହ ଗୁଜୁରାଟ ଏଟିଏସର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗୁଜୁରାଟରେ, ଭାରତୀୟ କୋଷ୍ଟ ଗାର୍ଡ ଏଟିଏସର ଇନପୁଟ୍ ଆଧାରରେ ଏକ ପାକିସ୍ତାନୀ ବୋଟକୁ ଅଟକାଇଛନ୍ତି । ଏହି ବୋଟରେ ୧୦ ଜଣ ପାକିସ୍ତାନୀ ଥିଲେ । ଆଇସିଜି ଏହି ବୋଟରୁ ୪୦ କିଲୋଗ୍ରାମ ଡ୍ରଗ୍ସ ସହିତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ମଧ୍ୟ ଜବତ କରିଛି । ଏହି ଡ୍ରଗ୍ସର ମୂଲ୍ୟ ୩୦୦ କୋଟି ବୋଲି ଆକଳନ କରାଯାଇଛି । ଆଇସିଜି କହିଛି ଯେ ଏହି ଅପରେସନ୍ ୨୫ ଏବଂ ୨୬ ଡିସେମ୍ବର ରାତିରେ କରାଯାଇଥିଲା ।

ଆଇସିଜି ଅଧିକାରୀ କହିଛନ୍ତି ଯେ ଗୁଜୁରାଟ ଏଟିଏସରୁ ଏକ ନିର୍ଦ୍ଦିଷ୍ଟ ଗୁପ୍ତଚର ଇନପୁଟରୁ ସୂଚନା ମିଳିଥିଲା ଯେ ଏକ ପାକିସ୍ତାନୀ ବୋଟ ଭାରତୀୟ ସୀମାରେ ପ୍ରବେଶ କରୁଛି । ୨୫ ଏବଂ ୨୬ ଡିସେମ୍ବର ରାତିରେ ଏହି ଅପରେସନ୍ କରାଯାଇଥିଲା । ଯେଉଁଥିରେ ଆଇଜିସି ଏହାର ଜାହାଜ ଅରିଞ୍ଜୟକୁ ପାକିସ୍ତାନ ସାମୁଦ୍ରିକ ସୀମାରେ ନିୟୋଜିତ କରିଥିଲା ।

ଏହା ପରେ ଟିମ ଅଲ ସୋହେଲି ନାମକ ଏକ ପାକିସ୍ତାନୀ ମାଛ ଧରିବା ବୋଟକୁ ଅଟକାଇଥିଲା । ଯେତେବେଳେ ଖୋଜାଖୋଜି କରାଯାଇଥିଲା ଏହି ବୋଟରୁ ଅସ୍ତ୍ରଶସ୍ତ୍ର ସହ ୪୦ କିଲୋଗ୍ରାମ ନିଶା ସାମଗ୍ରୀ ଉଦ୍ଧାର କରାଯାଇଥିଲା । ଯାହାର ମୂଲ୍ୟ ୩୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆଇସିଜି ଆହୁରି ସୂଚନା ଦେଇଛି ଯେ ବର୍ତ୍ତମାନ କର୍ମଚାରୀଙ୍କ ସହ ବୋଟଟି ଧରାପଡିଛି ଏବଂ ଅଧିକ ତଦନ୍ତ ପାଇଁ ଓଖାକୁ ଅଣାଯାଉଛି ।



ଗତ ୧୮ ମାସ ମଧ୍ୟରେ ଗୁଜୁରାଟର ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏଟିଏସ୍ ଦ୍ୱାରା ଏହା ହେଉଛି ସପ୍ତମ ମିଳିତ ଅପରେସନ୍ । ଏହି ସମୟ ମଧ୍ୟରେ ୧୯୩୦ କୋଟି ଟଙ୍କା ମୂଲ୍ୟର ମୋଟ ୩୪୬ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ସହ ୪୪ ଜଣ ପାକିସ୍ତାନୀ ଏବଂ ୭ ଜଣ ଇରାନ କର୍ମଚାରୀଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.