ନୂଆଦିଲ୍ଲୀ: ଆଡିଲେଡ ଟେଷ୍ଟ ହାରିବା ପରେ ଟିମ ଇଣ୍ଡିଆକୁ ଲାଗିବ ଆଉ ଏକ ଝଟକା । ତୃତୀୟ ଟେଷ୍ଟ ପୂର୍ବରୁ ଆକ୍ସନ ନେବ ଆଇସିସି । ଦଳର ଷ୍ଟାର ପେସ୍ ବୋଲର ମହମ୍ମଦ ସିରାଜଙ୍କ ଉପରେ ଲାଗିପାରେ ବ୍ୟାନ୍ । ଆଡିଲେଡ ଟେଷ୍ଟରେ ଟ୍ରାଭିସ ହେଡଙ୍କ ସହ ତାଙ୍କ ବ୍ୟବହାରକୁ ନେଇ ଆଇସିସି କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ । ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଟ୍ରାଭିସ-ସିରାଜ ବିବାଦକୁ ନେଇ ଏବେ ଯାଞ୍ଚ କରୁଛି ଆଇସିସି । ଏହାପରେ ଆଇସିସି ଉଭୟଙ୍କୁ ତୃତୀୟ ଟେଷ୍ଟ ପାଇଁ ବ୍ୟାନ୍ ଆଦେଶ ଲାଗୁ କରିପାରେ ବୋଲି ଆଶଙ୍କା ଦେଖାଦେଇଛି ।
ଆଡିଲେଡ ଟେଷ୍ଟ(୮୨ ଓଭର)ରେ ସିରାଜ ଟ୍ରାଭିସଙ୍କୁ ଆଉଟ କରିବା ପାଇଁ ଏକ ଦମଦାର ଇନ୍-ସ୍ୱିଙ୍ଗ ୟର୍କର ପିଙ୍ଗିଥିଲେ । ସିରାଜଙ୍କ ଏହି ବଲର ଉତ୍ତର ଦେଇ ନ ପାରି ଟ୍ରାଭିସ ପାଭିଲିୟନ ଫେରିଥିଲେ । କିନ୍ତୁ ପାଭିଲିୟନ ଫେରିବା ବାଟରେ ସିରାଜ ଏବଂ ଟ୍ରାଭିସଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ । ଟ୍ରାଭିସ ହେଡଙ୍କୁ ଇସାରା କରି ସିରାଜ ତାଙ୍କୁ ଏକ ଜୋରଦାର ବିଦାୟ ଦେଇଥିଲେ । ଏହାପରେ ମାହୋଲ ଗରମ ହେଉଥିବା ବେଳେ ଏହା ବଡ଼ ରୂପ ନେବା ପୂର୍ବରୁ ଦଳର ଅନ୍ୟ ଖେଳାଳି ଏହାକୁ ଶାନ୍ତ କରିଛନ୍ତି । କିନ୍ତୁ ଏହି ମାମଲା ପାଇଁ ଏବେ ଉଭୟ ଖେଳାଳିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ ଆଇସିସି । ତେବେ ଏଥିପାଇଁ ଉଭୟ କ୍ରିକେଟରଙ୍କ ଉପରେ ବ୍ୟାନ୍ ଲାଗିବାର ସମ୍ଭାବନା ନାହିଁ । କାରଣ ଏଭଳି ଘଟଣା ପାଇଁ ପ୍ରାୟତଃ ହାଲକା ଦଣ୍ଡ ମିଳିଥାଏ ।
ତେବେ ଏହି ମାମଲାରେ ଉଭୟ ପକ୍ଷ ନିଜ ନିଜ ପକ୍ଷ ରଖି ସାରିଛନ୍ତି । ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ପରେ ଟ୍ରାଭିସ ହେଡ କହିଥିଲେ ଯେ, ମୁଁ ମଜାକିଆ ଅନ୍ଦାଜରେ “ଭଲ ବୋଲିଂ’ ବୋଲି କହିଥିଲି । କିନ୍ତୁ ସେ କିଛି ଅଲଗା ଶୁଣିଥିଲେ ଏବଂ ମୋତେ ପାଭିଲିୟନ ଯିବା ପାଇଁ ଇସାରା କରିଥିଲେ । ମୁଁ ମଧ୍ୟ ଏହାର ପ୍ରତିକ୍ରିୟା ଦେଇଥିଲି । କିନ୍ତୁ ଏବେ ଏହାକୁ ନେଇ ବିଶେଷ କିଛି କହିବିନି ।”
ସେପଟେ ସିରାଜ ଟ୍ରାଭିସ ହେଡଙ୍କ ଏହି ବୟାନକୁ ମିଛ ବୋଲି କହିଛନ୍ତି । ମ୍ୟାଚର ତୃତୀୟ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ସିରାଜ କହିଥିଲେ ଯେ, ମୁଁ ୱିକେଟର ସେଲିବ୍ରେସନ କରିଥିଲି, କିନ୍ତୁ କିଛି କହି ନଥିଲି । ମୁଁ ସମସ୍ତଙ୍କୁ ସମ୍ମାନ କରେ, କାରଣ କ୍ରିକେଟ ଏକ ଜେଣ୍ଟଲମ୍ୟାନ୍ ଗେମ୍ । କିନ୍ତୁ ତାଙ୍କ କହିବାର ଶୈଳୀଭୁଲ ଥିଲା ଏବଂ ତାହା ମୋତେ ଭଲ ଲାଗିଲା ନାହିଁ । ତେଣୁ ମୁଁ ତାଙ୍କର ପ୍ରତିକ୍ରିୟା ଦେଲି ।”