fbpx

କୃଷକଙ୍କୁ ଘାରିଛି ବିଲରୁ ରସୁଣ ଚୋରୀର ଭୟ, କିଆରୀରେ ଲଗେଇଲେ ସିସିଟିଭି

ନୂଆଦିଲ୍ଲୀ: ରସୁଣ ମୂଲ୍ୟ ୪୦୦ଛୁଇଁଲା ପରେ ଏବେ ରସୁଣ ଚାଷୀ ଭାରି ଖୁସି । ଏହି କ୍ରମରେ ରସୁଣ ଚାଷକୁ ନେଇ ମଧ୍ୟପ୍ରଦେଶ ଜିଲ୍ଲା ଛିନ୍ଦୱାଡାରୁ ଆସିଛି ଏକ ଭିନ୍ନ ଖବର । ଏବେ ଏଠାରେ ଚାଷୀ ନିଜ ରସୁଣ କ୍ଷେତ ଜଗିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ସେମାନେ କ୍ଷେତରେ ସିସିଟିଭି କ୍ୟାମେରା ଲଗାଇଛନ୍ତି ।

ଦର ବଢିଯିବା ପରେ ଏବେ ରସୁଣ ଚାଷୀ ବହୁତ ଖୁସୀ । ରସୁଣ କିଲୋ ୪୦୦ଟଙ୍କା ରହିଥିବା ବେଳେ ବେପାରୀମାନେ ଚାଷୀଙ୍କ ଠାରୁ କିଲୋ ୩୦୦ଟଙ୍କାରେ ରସୁଣ କିଣୁଛନ୍ତି । ଚଳିତ ବର୍ଷ କୃଷକଙ୍କୁ ରସୁଣ ଫସଲରୁ କୋଟି କୋଟି ଟଙ୍କା ଲାଭ ହେଉଛି । ତେଣୁ ଫସଲର ଉଚିତ ଦେଖାରଖା ପାଇଁ କୃଷକ କ୍ଷେତରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ଯେପରି କେହି ରସୁଣ ଚୋରୀ ନ କରନ୍ତି ତାହା ଉପରେ କଡା ନଜର ରଖାଯାଉଛି ।

ଜିଲ୍ଲାର ସାଓଁରୀ ଗ୍ରାମର ଯୁବ କୃଷକ ରାହୁଲ ଦେଶମୁଖ ଆଧୁନିକ ପ୍ରଣାଳୀରେ ଚାଷ କରିଥାନ୍ତି । ସେ ପରିଶ୍ରମ ଓ ନିଷ୍ଠାର ସହ ଚାଷ କରି କୋଟି କୋଟି ଟଙ୍କା ଲାଭ ଉଠାଇଥାନ୍ତି । ପ୍ରଥମଥର ସେ ନିଜ କ୍ଷେତରେ ରସୁଣ ଲଗାଇଛନ୍ତି ଓ ଏହାର ଦେଖାରଖା ପାଇଁ ବିଲରେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ରାହୁଲ କହିଛନ୍ତି ସିସିଟିଭି କ୍ୟାମେରା ଲଗାଇବା ଦ୍ୱାରା ତାଙ୍କୁ ବହୁତ ଲାଭ ହେଉଛି । ରସୁଣ ମହଙ୍ଗା ହୋଇଯାଇଥିବାରୁ ଚୋରୀର ଭୟ ରହୁଛି ।

ସେ କହିଛନ୍ତି ଆଜିକାଲି ସୌରଶକ୍ତି ଚାଳିତ ସିସିଟିଭି କ୍ୟାମେରା ଆସିଯାଇଥିବାରୁ ଏଥିରେ ବିଜୁଳି ଶକ୍ତିର ବି ଆବଶ୍ୟକତା ପଡୁନାହିଁ । ସେ କହିଛନ୍ତି ମୋ ବିଲରୁ ପୂର୍ବରୁ ଚୋରୀ ହୋଇଥିବାରୁ ଏବେ ମୁଁ ରସୁଣର ବର୍ଦ୍ଧିତ ମୂଲ୍ୟକୁ ଦେଖି ସିସିଟିଭି ଲଗାଇବାକୁ ବାଧ୍ୟ ହେଲି । ସେ ୧୩ ଏକର ଜମିରେ ରସୁଣ ଲଗାଇଛନ୍ତି । ସେ ଏଥିରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଓ ୧କୋଟି ଟଙ୍କା ଲାଭ ଉଠାଇବେ ବୋଲି ଆଶା ରଖିଛନ୍ତି । ସେ ହାଇଦ୍ରାବାଦ ଯାଇ ରସୁଣ ବିକ୍ରୀ କରିଥାନ୍ତି ।

Get real time updates directly on you device, subscribe now.