ଓଡ଼ିଶା ଭାସ୍କର: ଶରତ ଋତୁ ଆସିଲେ ରାସ୍ତା କଡ଼, ନଦୀ ପଠା ଓ ଧାନ ବିଲରେ ହାଲୁକା ପବନରେ ଖିଲି ଖିଲି ହସିଉଠେ କାଶତଣ୍ଡୀ । ହେଲେ ଜଳବାୟୁର ପରିବର୍ତ୍ତନ, ଅଜି କାଶତଣ୍ଡିକୁ ଆସିବାକୁ ଦେଉନାହିଁ । ସେ ଘାସର ଗାଲିଚାରେ ମୁହଁ ପୋତି କାନ୍ଦୁଛି । ଖାଲି ଏ ବର୍ଷ କାହିଁକି, ଗତ କିଛି ବର୍ଷ ମଧ୍ୟ ସେ ଏମିତି କାନ୍ଦୁଛି । ସମୟ ଏମିତି ହେଲାଣି ନିର୍ଜନତା ତାକୁ ପୁରା ଘାରି ଦେଲାଣି । ତା’ର ପୂର୍ଣ୍ଣ ଯୌବନର ସୌନ୍ଦର୍ଯ୍ୟ ଓ ତା’ର ସଂଗୀତକୁ ଉପଭୋଗ କରିବା ପାଇଁ ଆଉ କେହି ଆଗ୍ରହୀ ନାହାନ୍ତି । ଆମେ ବି ଏବେ ତା’ଠାରୁ ଦୂରେଇ ଦୂରେଇ ଗଲେଣି । କାଶତଣ୍ଡୀ ହୁଏ’ତ ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ସେସବୁ କଥା ଭାବୁଥିବ ।
ଏବର୍ଷର ଖରା-ତାତିକୁ ଡରି ହୁଏତ ଆସିନପାରେ । ଯିଏ ଶୀତର ସ୍ପର୍ଶ ମିଳିବା ଆଗରୁ ଧରା ପୃଷ୍ଟରେ ଆସି ମାଆଙ୍କୁ ଦେଖି ଖିଲି ଖିଲି ହୋଇ ହସେ । ସେ ଆଜି ମୁହଁ ପୋତି କାନ୍ଦୁଛି । ସବୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରେ କାଶତଣ୍ଡି ଫୁଲ । ସତେ ଯେମିତି ପ୍ରକୃତିର କାନଭାସରେ ଆଙ୍କି ହୋଇଛି କାଶତଣ୍ଡି ଫୁଲ । ବାସ୍ନା ନଥିଲେ ବି ତା’ର ଶୁଭ୍ରରୂପ ସମସ୍ତଙ୍କୁ ବିମୋହିତ କରେ। ବାଟରେ ଗଲାବେଳେ ବାଟୋଇଟିଏ ହଜିଯାଏ ଏହାର କମନୀୟ ଶୋଭା ଭିତରେ । କବିଟିଏ ଦେଖିଲେ ବିଭୋର ହୋଇଉଠେ । ମନରୁ ଝରିପଡେ ସୁନ୍ଦର ସୁନ୍ଦର କବିତା । ଶୋଭା ବାଣ୍ଟି ବାଣ୍ଟି ପ୍ରକୃତି କୋଳରେ ଝାଉଁଳିବାକୁ ବି ପଡ଼ିବ ନାହିଁ । ଆଉ ଧଳା ଶାଢ଼ି ପିନ୍ଧିବନି ଧରଣୀ ରାଣୀ । ପ୍ରୀତି, ପ୍ରେମ ଓ ପାର୍ବଣର ପ୍ରତୀକ ଶରତର କାଶତଣ୍ଡୀ ।