fbpx
BSKY
BJD YOUTH SKY
BJD MS SKY

World Cup-2023; ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ଐତିହାସିକ ବିଜୟ: ବିଶ୍ୱକପ ଇତିହାସରେ ପ୍ରଥମ ଥର ହେଲା ଏମିତି କାରନାମା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଐତିହାସିକ ବିଜୟର ଅଧିକାରୀ ହୋଇଛି ପାକିସ୍ତାନ । ଓପନର ଅବଦୁଲ୍ଲା ଶାଫିକ୍ ଏବଂ ମହମ୍ମଦ ରିଜୱାନଙ୍କ ଶତକ ଶ୍ରୀଲଙ୍କାକୁ ଚକମା ଦେଇ ମ୍ୟାଚକୁ ନିଜ କବଜାରେ ନେଇଛି । ଉଭୟଙ୍କ ଶତକ ବଳରେ ପାକିସ୍ତାନ ୩୪୫ ରନର ବଡ଼ ଟାର୍ଗେଟକୁ ସହଜରେ ହାସଲ କରିନେଇଛି । ଫଳରେ ଶ୍ରୀଲଙ୍କା ବିପକ୍ଷରେ ୬ ୱିକେଟରେ ଏକ ତରଫା ବିଜୟ ହାସଲ କରିଛି ବାବର ସେନା । ରିଜୱାନ ଏବଂ ଶାଫିକଙ୍କ ଶତକ ଆଗରେ ନିଷ୍ଫଳ ହୋଇଯାଇଛି କୁସଲ ମେଣ୍ଡିସ-ସମରାବିକ୍ରମାଙ୍କର ଦୁଇ ଦୁଇଟି ଶତକ ।

କୁସଲ ମେଣ୍ଡିସ ଏବଂ ସମରବିକ୍ରମାଙ୍କ ଶତକ ବଳରେ ପାକିସ୍ତାନକୁ ୩୪୫ ରନର ବଡ଼ ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । ଏହାର ପିଛା କରି ମଇଦାନକୁ ଓହ୍ଲାଇଥିଲେ ଅବଦୁଲ୍ଲା ଶାଫିକ ଏବଂ ଇମାମ୍ ଉଲ୍ ହକ୍ । କିନ୍ତୁ ୮ ଓଭର ପୂର୍ବରୁ ଇମାମଙ୍କ ସହ ଦଳର ଅଧିନାୟକ ବାବର ଆଜମ ମଧ୍ୟ ପାଭିଲିୟନ ଫେରି ଯାଇଥିଲେ । ଏହାପରେ ଶାଫିକ ଏବଂ ରିଜୱାନ ପାଳି ସମ୍ଭାଳି ବିସ୍ଫୋରକ ଶତକ ହାସଲ କରିଛନ୍ତି । ଉଭୟ ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରି ମ୍ୟାଚର ସ୍ଥିତିକୁ ବଦଳାଇ ଦେଇଛନ୍ତି । ତେବେ ୧୧୩ ରନରେ ଖେଳୁଥିବା ବେଳେ ଶାଫିକ କ୍ୟାଚ ଆଉଟ ହୋଇ ପାଭିଲିୟନ ପେରି ଆସିଥିଲେ, କିନ୍ତୁ ମ୍ୟାଚ ଏବେ ପାକିସ୍ତାନ ହାତରେ ରହିଥିଲା । ଏହାପରେ ମହମ୍ମଦ ରିଜୱାନ ମଧ୍ୟ ଦମଦାର ବ୍ୟାଟିଂ ସହ ଶତକ ଅର୍ଜନ କରିଛନ୍ତି । ୧୨୧ ବଲରୁ ୮ ଚୌକା ଏବଂ ୩ ଛକା ସହ ବିସ୍ଫୋରକ ଶତକ ହାସଲ କରିଥିଲେ ରିଜୱାନ । ଉଭୟଙ୍କ ଶତକ ବଳରେ ପାକିସ୍ତାନ ଏହି ମ୍ୟାଚକୁ ୪୮.୨ ଓଭରରେ ହିଁ ୬ ୱିକେଟରେ ବିଜୟ ହାସଲ କରିଛି ।

ତେବେ ଏହି ମ୍ୟାଚରେ ଏକ ବିରାଟ ରେକର୍ଡ ସୃଷ୍ଟି ହୋଇଛି । ପ୍ରଥମ ବିଶ୍ୱକପ ମ୍ୟାଚ ଭାବରେ ଏହି ମ୍ୟାଚରେ ଦୁଇ ଦଳର ୪ ଜଣ ଖେଳାଳି ଶତକ ହାସଲ କରିଛନ୍ତି । ପୂର୍ବରୁ ବିଶ୍ୱକପ ଇତିହାସରେ କୌଣସି ମ୍ୟାଚରେ ଏଭଳି ଘଟଣା ଦେଖିବାକୁ ମିଳି ନଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ତରଫରୁ କୁସଲ ମେଣ୍ଡିସ ୧୨୨ ଏବଂ ସମରବିକ୍ରମା ୧୦୮ ରନ୍ କରିଥିବା ବେଳେ ପାକିସ୍ତାନର ଅବଦୁଲ୍ଲା ଶାଫିକ ୧୧୩ ଏବଂ ମହମ୍ମଦ ରିଜୱାନ ୧୩୧ ରନ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.