କାବୁଲ: ଭାରତର ପଡୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ବନ୍ଦ ହେଉନାହିଁ। ସୂଚନା ପ୍ରଦାନ କରି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ, ଶୁକ୍ରବାର ଆଫଗାନିସ୍ତାନରେ ରିକ୍ଟର ସ୍କେଲରେ ୪.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।
ଏହି ସପ୍ତାହରେ ଆଫଗାନିସ୍ତାନରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ। ଏହାପୂର୍ବରୁ ଅକ୍ଟୋବର ୧୧ ବୁଧବାର ଦିନ ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ୬.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। GFZ କହିଛି ଯେ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ଥିଲା। ଅକ୍ଟୋବର ୭ ରେ ପଶ୍ଚିମ ଆଫଗାନିସ୍ତାନରେ ୬.୧ ମ୍ୟାଗ୍ନିଚ୍ୟୁଡର ଦୁଇଟି ଭୂକମ୍ପରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଥିଲା ବୋଲି ଦେଶର ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣ କହିଛି। ପଶ୍ଚିମ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୦୦ କୁ ବୃଦ୍ଧି ପାଇଛି ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।
ଏଥି ସହ ଖାମା ପ୍ରେସ ତାଲିବାନ ମନ୍ତ୍ରଣାଳୟର ଉଦ୍ଧେଶ୍ୟରେ କହିଛି ଯେ, ଆଫଗାନିସ୍ତାନର ହେରାଟ ପ୍ରଦେଶରେ ହୋଇଥିବା ଭୂକମ୍ପରେ ୪୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଆବାସିକ ଘର ନଷ୍ଟ ହୋଇଯାଇଛି। ଆଫଗାନିସ୍ତାନର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛି ଯେ, ହେରାଟର ୨୦ ଟି ଗାଁରେ ୧,୯୮୩ ଆବାସିକ ଘର ମଧ୍ୟ ନଷ୍ଟ ହୋଇଯାଇଛି। ତାଲିବାନ ଏପର୍ଯ୍ୟନ୍ତ ହେରାଟରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ପ୍ରକାଶ କରି ନାହିଁ। ଖାମା ପ୍ରେସ ଅନୁଯାୟୀ, ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ କହିଛି ଯେ, କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀ ପରେ ସୋମବାର ଦିନ ୧୦୦୦ ଜଣ ବ୍ୟକ୍ତିଙ୍କ ସହ ୩୫ ଟି ଜାତୀୟ ତଥା ବିଦେଶୀ ଉଦ୍ଧାରକାରୀ ଦଳ ଭୂକମ୍ପ ସ୍ଥାନକୁ ଯାଇଛନ୍ତି।