fbpx

ଚୀନରେ ଶକ୍ତିଶାଳୀ ଭୂମିକମ୍ପ: ୧୧୧ ମୃତ, ଜାଣନ୍ତୁ କେତେ ରହିଛି ତୀବ୍ରତା

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଚୀନର ଗାନସୁ ଏବଂ କିନଘାଇ ପ୍ରଦେଶରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଚୀନର ସରକାରୀ ସମ୍ବାଦ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୧ ଅତିକ୍ରମ କରିଛି। ଏହି ଭୂମିକମ୍ପ ଝଟକାରେ ବଡ଼ ବଡ଼ କୋଠାମାନ ଭୁଶୁଡ଼ି ପଡିଛି । ଏଥିସହ ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଗାନସୁ ଓ କିନଘାଇ ପ୍ରୋଭିନ୍ସ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।

ରିପୋର୍ଟ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଗାନସୁ ଏବଂ କିନଘାଇ ପ୍ରଦେଶରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜିନହୁଆଙ୍କ ଅନୁଯାୟୀ ପଡୋଶୀ କିନଘାଇ ପ୍ରଦେଶର ହାଇଡୋଙ୍ଗ ସହରରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୪ ଜଣ ଆହତ ହୋଇଛନ୍ତି। ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ମିଡିଆ ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ କରିଛି ଯେ, ଏହି ଭୂକମ୍ପକୁ ନେଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଭାବିତ ଲୋକମାନଙ୍କର ଉପଯୁକ୍ତ ପୁନର୍ବାସ, ନିରାପତ୍ତା ଏବଂ ଉଦ୍ଧାର କାର୍ଯ୍ୟ ସମେତ ଲୋକଙ୍କ ନିରାପଦ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ, ପ୍ରବଳ ଭୂକମ୍ପ ଯୋଗୁଁ ଅନେକ ଘର ଭୁଶୁଡି ପଡିଛି। ଭୂକମ୍ପର କମ୍ପନ ଅନୁଭବ କରିବା ପରେ ସଙ୍ଗେ ସଙ୍ଗେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ରାସ୍ତାରେ ଦୌଡିବାକୁ ଲାଗିଲେ। ସୋମବାର ରାତିରେ ଚୀନ୍‌ର ଗାନସୁ ଏବଂ କଳିଙ୍ଗ ପ୍ରଦେଶରେ ପ୍ରବଳ ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ମଙ୍ଗଳବାର (ଡିସେମ୍ବର ୧୯) ପର୍ଯ୍ୟନ୍ତ ଜାରି ରହିଛି।

 

Get real time updates directly on you device, subscribe now.