ଘରେ ପଶି ମୂଷା ବହୁ ନଷ୍ଟ କରୁଛି, ମୂଷାଙ୍କୁ ନ ମାରି କେମିତି ଘଉଡାଇ ହେବ ଆସନ୍ତୁ ଜାଣିବା

ଓଡିଶା ଭାସ୍କର– ଘରେ ମୂଷା ହେଲେ କେମିତି ପରିସ୍ଥିତିର ସମ୍ମୁଖୀନ ହେବାକୁ ହୁଏ, ତାହା ଅଳ୍ପ ବହୁତେ ସମସ୍ତେ ଅବଗତ । ଥରେ ଘରେ ମୂଷା ପଶିଲେ ତାକୁ ବାହାର କରିବା କଷ୍ଟକର । ସେପଟେ, ଘରେ ଲୁଗାପଟା, ଖାଦ୍ୟପେୟ ନଷ୍ଟ କରି ନାକେଦମ କରନ୍ତି ଏହି ମୂଷା । ଏଥିପାଇଁ ଲୋକେ ଅଠା ବା ଔଷଧ ଦେଇ ସେମାନଙ୍କୁ ମାରିଥାନ୍ତି । ହେଲେ ଏମିତି କିଛି ଉପାୟ ରହିଛି, ଯାହା ମୂଷାଙ୍କୁ ଘରେ ପଶିବାକୁ ଦେବ ନାହିଁ । ଏଥିପାଇଁ ମଧ୍ୟ ଅଧିକ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ମୂଷା ଘଉଡାଇବାର ସହଜ ଉପାୟ ।
ଏମିତି କିଛି ଗୁଳ୍ମ ବା ଗଛ ରହିଛି ଯାହା ମୂଷାଙ୍କୁ ଘର ଭିତରକୁ ପୂରାଇ ଦେବ ନାହିଁ । ଏହି ଗୁଳ୍ମର ବାସ୍ନା ମୂଷାଙ୍କ ପାଇଁ ଅସହ୍ୟ ହୋଇଥାଏ । ରସୁଣ ଓ ପୋଦିନା ଗଛର ବାସ୍ନା ମୂଷାକୁ ଆଦୌ ପସନ୍ଦ ନୁହେଁ । ଏହି ଦୁଇ ଗଛକୁ ଘରେ ରଖିଲେ ମୂଷା ଆଦୌ ଘରକୁ ପୁରାଇ ଦେବନାହିଁ ।
ସେହିପରି ରସୁଣ ବା ପୋଦିନା ପତ୍ରର ପେଷ୍ଟକୁ ପାଣିରେ ମିଶାଇ ଏହାକୁ ଘରକୁ ଯୋଡୁଥିବା ନାଳ, ପାଇପ ତଥା ଘରର ଏଣ୍ଟ୍ରି ପଏଣ୍ଟରେ ମଝିରେ ମଝିରେ ସ୍ପ୍ରେ କରିବା ଦାରା ଘରକୁ ମୂଷା ଆସିବେ ନାହିଁ ।
ଲେଭେଣ୍ଡର ଅଏଲ ବଜାରରେ ମିଳିଥାଏ । ଏହି ବାସ୍ନା ମଧ୍ୟ ମୂଷା ପ୍ରବେଶ ଉପରେ ରୋକ ଲଗାଇବ । ଏହା ବ୍ୟତୀତ କର୍ପୂରର ବାସ୍ନା ମୂଷା ପସନ୍ଦ କରନ୍ତି ନାହିଁ । ତେଣୁ କର୍ପୂର ଗୁଣ୍ଡକରି ଘରର ଭିନ୍ନ କୋଣରେ ପକାଇଲେ ମଧ୍ୟ ମୂଷା ଘରେ ପଶିବେ ନାହିଁ । ଫିଟକିରି ମଧ୍ୟ ମୂଷାଙ୍କ ପ୍ରବେଶ ଉପରେ ରୋକ ଲଗାଇବାରେ ରାମବାଣ ହୋଇଥାଏ । ତେଣୁ ବଜାରରୁ ଫିଟକିରି କିଣି ତାହାକୁ ଘରର ବିଭିନ୍ନ ସ୍ଥାନରେ ରଖିଲେ ମୂଷାଙ୍କ ପ୍ରବେଶରେ ରୋକ ଲାଗିବ ।