fbpx

ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ୯୭ କୋଟିରୁ ଅଧିକ ମୂଲ୍ୟର ସଂପତ୍ତି ଜବତ କଲା ଇଡି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୁଦ୍ଧରେ ବଡ ପଦକ୍ଷେପ ନେଇଛି ଇଡି । ଇଡିର ମୁମ୍ବାଇ ବ୍ରାଞ୍ଚ ପିଏମଏଲ୍‌ଏ ଆକ୍ଟ ଜରିଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଇଡି ସୂତ୍ରରୁ ଜଣାଯାଇଛି ଜବତ କରାଯାଇଥିବା ସଂପତ୍ତିରେ ଜୁହୁସ୍ଥିତ ଥିବା ଏକ ବଙ୍ଗଳା ବି ରହିଛି ଯାହା ଶିଳ୍ପାଙ୍କ ନାମରେ ଥିଲା । ଏହାସହିତ ପୁନେରେ ଥିବା ଏକ ବଙ୍ଗଳା ବି ସାମିଲ ରହିଛି । ଏହାସହିତ ରାଜ କୁନ୍ଦ୍ରାଙ୍କ ନାମରେ ଥିବା କିଛି ସେୟାର ବି ଇଡି ଜବତ କରିଛି ।

ଇଡି ମହାରାଷ୍ଟ୍ରରେ ଦାଖଲ ଅଲଗା ଅଲଗା ଏଫଆଇଆର୍ ଆଧାରରେ ପିଏମଏଲ୍‌ଏ ଆକ୍ଟ ଜରିଆରେ ଯାଞ୍ଚ ଆରମ୍ଭ କରିଥିଲା । ଅଭିଯୋଗ ଥିଲା କି ୨୦୧୭ରେ ମେସର୍ସ ଭେରିଏବଲ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ , ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନ୍ୟ ଏମଏଲ୍‌ଏମ୍ ଏଜେଣ୍ଟ ପ୍ରାୟ ୬୬୦୦କୋଟି ଟଙ୍କାର ବିଟକଏନ୍ ମିଛ ପ୍ରତିଶ୍ରୁତି ଆଧାରରେ ନିବେଶକଙ୍କ ଠାରୁ ହାସଲ କରିଥିଲେ । ନିବେଶକଙ୍କୁ ୧୦% ଲାଭର ଭରସା ଦିଆଯାଇଥିଲା । କିନ୍ତୁ ସେମାନେ ଏହାକୁ ନିଜ ହିତରେ ବିନିଯୋଗ କରିଥିଲେ ।

ଇଡିର ଅଭିଯୋଗ ରହିଛି କି ଏହି ଘୋଟାଲାର ମାଷ୍ଟରମାଇଣ୍ଡ ଠାରୁ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରା ୨୮୫ ବିଟ୍ କଏନ୍ ହାସଲ କରିଥିଲେ । ଏହି ସମସ୍ତ ବିଟକଏନ୍ ଅମିତ ଭରଦ୍ୱାଜ ନିବେଶକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ହାସଲ କରିଛନ୍ତି ଓ ୟୁକ୍ରେନ୍‌ରେ ବିଟକଏନ୍ ମାଇନିଂରେ ନିବେଶ କରିଛନ୍ତି । ରାଜ କୁନ୍ଦ୍ରାଙ୍କ ପାଖକୁ ଏହି ଘୋଟାଲାରେ ୨୮୫ ବିଟ୍ କଏନ୍ ଆସିଛି ଯାହାର ମୂଲ୍ୟ ୧୫୦ କୋଟି ଟଙ୍କାରୁ ଅଧିକ ହେବ । ଏହି ମାମଲାରେ ଇଡି ରେଡ୍ କରି ପୂର୍ବରୁ ୩ ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.