fbpx

(Video) ଏଥର କାଠଗଡ଼ା ନୁହେଁ, ପ୍ରଚାର ମଇଦାନରେ ଲଢିବେ ବର୍ଷା-ଅନୁଭବ: ଜୋରଦାର ଲଢେଇ ଦେଖିବ ଓଡ଼ିଶା

ଓଡ଼ିଶା ଭାସ୍କର: ନା ଥିବ  କୋର୍ଟ, ନା ଥିବ କାଠଗଡ଼ା, ନା ଅର୍ଡର କହିବା ପାଇଁ ଥିବେ ବିଚାରପତି । କିନ୍ତୁ ତଥାପି ମୁହାଁମୁହିଁ ଲଢିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଏଥର ରାଜନୀତି ମଇଦାନରେ ହେବ ନିର୍ବାଚନ ଲଢେଇ । କୌଣସି ଦଲିଲ ନୁହେଁ, ହାତରେ ଦଳୀୟ ପତାକା ଧରି ଏହି ରାଜନୀତି ଯୁଦ୍ଧ ଲଢିବେ ‘ଷ୍ଟାର କପଲ’ । ଆଉ ଏହି ଲଢେଇରେ ପରସ୍ପରକୁ ପୁଣିଥରେ ସାମନା କରିବେ ଓଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ଅନୁଭବ–ବର୍ଷା । ଏଥର କୋର୍ଟର ଚାରି କାନ୍ଥ ଭିତରେ ନୁହେଁ, ଖୋଲା ମଇଦାନରେ ହେବ ଫଇସଲା । ପାରିବାରିକ ବିବାଦ ପରେ ନିର୍ବାଚନ ଲଢେଇରେ ଦେଖିବାକୁ ମିଳିବ ବର୍ଷା-ଅନୁଭବ ଫାଇଟ୍ । ଦଳକୁ ବିଜୟ ପାଇଁ ଉଭୟ ପରସ୍ପର ଉପରେ ପ୍ରୟୋଗ କରିବେ ବ୍ରହ୍ମାସ୍ତ୍ର ।

କିଛି ଦିନ ତଳେ କେନ୍ଦ୍ରାପଡ଼ା ସାଂସଦ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏପଟେ ଏବେ ଶଙ୍ଖ ଭବନରେ ଆସି ବିଜେଡିରେ ସାମିଲ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଉଭୟ ଯୋଡ଼ି ଗତ ୪ ବର୍ଷରୁ ନିଜ ପାରିବାରିକ ବିବାଦକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । କୋର୍ଟର କାଠଗଡ଼ାରେ ବାରମ୍ବାର ଆମନା ସାମନା ହୋଇସାରିଛନ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । କିନ୍ତୁ ଏଥର ଲଢେଇ ନିଜ ପାଇଁ ନୁହେଁ, ବରଂ ନିଜ ଦଳକୁ ଜିତାଇବା ପାଇଁ ମୁହାଁମୁହିଁ ହେବେ ଏହି ଦୁଇ ଷ୍ଟାର । ରାଜ୍ୟ ରାଜନୀତିରେ ବର୍ତ୍ତମାନ ସୁଦ୍ଧା ଅନୁଭବଙ୍କୁ କୌଣସି ଟିକେଟ ଦେଇନି ବିଜେପି, ଏପଟେ ବର୍ଷାଙ୍କୁ କୌଣସି ଟିକେଟ ମିଳିବ କି ନାହିଁ ତାହା ଆଶଙ୍କା ଘେରରେ । ତେଣୁ ଯାହା ଅନୁମାନ କରାଯାଉଛି, ଏଥର ଅନୁଭବ ଏବଂ ବର୍ଷା ନିଜ ନିଜ ଦଳ ପାଇଁ କେବଳ ଷ୍ଟାର ପ୍ରଚାରକ ଦାୟିତ୍ୱ ତୁଲାଇପାରନ୍ତି । ଏମିତି ହେଲେ ଉଭୟ ଷ୍ଟାରଙ୍କୁ କଟକରୁ ନିର୍ବାଚନୀ ପ୍ରଚାର କରୁଥିବାର ଦେଖିବାକୁ ମିଳିବ । ତେଣୁ ପୁଣିଥରେ ଗୋଟିଏ ମଇଦାନରେ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ହେବ କଡ଼ା ଟକ୍କର ।

ପୂର୍ବରୁ ବର୍ଷା ବିଜେଡି ପାଇଁ ପଞ୍ଚାୟତ ତଥା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ବିଧିବଦ୍ଧ ଭାବରେ ବିଜେଡିକୁ ନିଜର କରିଛନ୍ତି । ସେପଟେ ଅନୁଭବ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ପ୍ରଚାର ମଇଦାନରେ ଉଭୟଙ୍କ ଲଢେଇ ଦେଖିପାରେ ରାଜ୍ୟ ରାଜନୀତି । ବର୍ଷା ପ୍ରିୟଦର୍ଶିନୀ ଏବେ ବିଜେଡିରେ ସାମିଲ ହେବା ପରେ ଉଭୟଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଅନୁଭବଙ୍କୁ ବିଜେପି ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ ରହିଛି । ତେଣୁ କୁହାଯାଉଛି ଯେ, ବର୍ଷା ଅନୁଭବଙ୍କ ବିରୋଧରେ ପ୍ରଚାର କରିପାରନ୍ତି । ବିଜେଡି ମଧ୍ୟ ବର୍ଷାଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରି ଟିକେଟ ଦେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ରାଜ୍ୟ ରାଜନୀତି ଏବେ କେଉଁ ରୂପରେ ଦେଖିବେ ବର୍ଷା-ଅନୁଭବ ଫାଇଟ? ନିର୍ବାଚନ ମଇଦାନରେ କିଏ ମାରିବ ବାଜି? ଏ ନେଇ ରାଜନୀତି ସମୀକ୍ଷକଙ୍କ ଠାରୁ ଜନତା ସମସ୍ତେ ଆଲେଚନା କରୁଛନ୍ତି ।

Get real time updates directly on you device, subscribe now.