ORS ପାଣି ପିଇବାରୁ ମସ୍ତିଷ୍କରେ ପଡ଼ୁଛି ପ୍ରଭାବ… କିପରି ଚିହ୍ନିବେ ଅସଲି ଓଆରଏସ ପାଣି? ଜାଣନ୍ତୁ ଉପାୟ

ଓଡ଼ିଶା ଭାସ୍କର: ମାର୍କେଟରେ ବର୍ତ୍ତମାନ ଅନେକ ଜିନିଷର ନକଲି ତଥା ଅପମିଶ୍ରିତ ଦ୍ରବ୍ୟ ବିକ୍ରି ହେଉଛି । ଅନେକ ଗୁଡ଼ିଏ ଡ୍ରିଙ୍କସ ମଧ୍ୟ ଏହିସବୁ ତାଲିକାରେ ସାମିଲ ହେଇଛି, ଯାହା ଖାଲି ଆଖିରେ ଚିହ୍ନିବା ବି କଷ୍ଟକର । ତେବେ ଲୋକମାନେ ଅସଲି ଏବଂ ନକଲିର ଭେଦଭାବ ଜାଣି ନପାରି ଏହାକୁ ଗ୍ରହଣ ମଧ୍ୟ କରୁଛନ୍ତି । ଯାହା ବିଭିନ୍ନ ରୋଗ-ବ୍ୟାଧିର କାରଣ ପାଲଟୁଛି । ନିକଟରେ ନକଲି ORS ପାଣି ମଧ୍ୟ ମାର୍କେଟରେ ବିକ୍ରି ହେଉଥିବା ଜାଣିବାକୁ ମିଳିଛି ।

ଡାଇରିଆ, ବାନ୍ତି, ଝାଡ଼ା ଏବଂ ଦୁର୍ବଳତା ଭଳି ବିଭିନ୍ନ ସମସ୍ୟାରୁ ORS ଆଶ୍ୱସ୍ତି ଦେଇଥାଏ ବୋଲି ଡାକ୍ତର ମଧ୍ୟ କହିଛନ୍ତି । ଏହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଏବଂ ଫ୍ଲୁଇଡ ବାଲାନ୍ସକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ । ଏଭଳି ପରିସ୍ଥିତିରେ ଯଦି ଆପଣ ଅସଲି ପରିବର୍ତ୍ତେ ନକଲି ORS ପାଣି ସେବନ କରନ୍ତି, ତେବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବିଶେଷ କରି ପିଲାମାନଙ୍କ ଉପରେ ଏହାର ଅଧିକ ଖରାପ ପ୍ରଭାବ ପଡ଼ିପାରେ ।

ନକଲି ORSରେ ସୁଗାର ଅଧିକ ପରିମାଣରେ ରହିଥାଏ । ଯଦି ଆପଣ ଡାଇରିଆ ଭଳି ରୋଗରେ ପଡ଼ି ଏହାକୁ ସେବନ କରନ୍ତି, ତେବେ ଏହା ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ କରିପାରେ । ଏହାସହିତ ଆପଣଙ୍କର ଡିହାଇଡ୍ରେସନ୍ ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ । ସେହିପରି ନକଲି ORSରେ ସୋଡ଼ିୟମ ନ୍ୟୁନତମ ସ୍ତରରେ ରହିଥାଏ । ଏହା ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସ ଏବଂ ଫ୍ଲୁଇଡ ବାଲାନ୍ସକୁ ବିଗାଡ଼ି ଦେଇଥାଏ । ଏହା ଆପଣଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ।

ନକଲି ORS ପ୍ୟାକେଟରେ FSSAI ପ୍ରମାଣପତ୍ର ଲେଖାଯାଇଥାଏ । ଏହାସହିତ ORS ପ୍ୟାକେଟରେ WHO ଆଧାରିତ ସୂତ୍ର ମଧ୍ୟ ରହିଥାଏ । ତେବେ ବାସ୍ତବରେ ORS ଔଷଧୀୟ ପାନୀୟ ଦ୍ରବ୍ୟ ଭାବରେ ବ୍ୟବହାର କରାଯାଏ, ତେଣୁ ଏହା କଠୋର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରସ୍ତୁତ ହୋଇଥାଏ । ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ORS କିଣିବାକୁ ଯାଆନ୍ତି, ଏହାର ପ୍ୟାକେଜିଂରେ ଲିଖିତ ନିର୍ଦ୍ଦେଶନାମା, ଏହାକୁ ତିଆରି କରିବା ପାଇଁ ବ୍ୟବହୃତ ଉପାଦାନ ଏବଂ ନିୟାମକ ସଙ୍କେତ ଯାଞ୍ଚ କରନ୍ତୁ ।