ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା ପ୍ରଶାସନ କ୍ଷେତ୍ରରେ ପ୍ରବର୍ତ୍ତନ ଓ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଜାତୀୟ ପୁରସ୍କାର ତାଲିକା ପ୍ରକାଶ ପାଇଛି । ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ସଂସ୍ଥାନ (ଏନଆଇଇପିଏ) ପକ୍ଷରୁ ଏହି ପୁରସ୍କାର ଆସନ୍ତା ୧୦ ତାରିଖରେ ନୂଆଦିଲ୍ଲୀରେ ପ୍ରଦାନ କରାଯିବ । ଏଥିପାଇଁ ଓଡ଼ିଶାରୁ ୮ ଜଣ ଶିକ୍ଷା ଅଧିକାରୀ ମନୋନୀତ ହୋଇଛନ୍ତି । ଶିକ୍ଷାବର୍ଷ ୨୦୧୯-୨୦ ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯିବ ।
ଏହି ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ବନ୍ଦନା ମହାପାତ୍ର, ବ୍ଲକ ଶିକ୍ଷାଧିକାରୀ (ବିଇଓ) ରାଜେଶ କୁମାର ପ୍ରଧାନ, ବିଇଓ ଡ. ପ୍ରଭାତୀ କୁମାରୀ ମହାପାତ୍ର, ମାଲକାନଗିରି ବିଇଓ ହିଂମାଶୁ ଭୂଷଣ ସମର୍ଥ, ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବିଇଓ ପ୍ରଜ୍ଞା ପାରମିତା ଜେନା, ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ହେମସାଗର ମହାନନ୍ଦ (ଓଇଏସ-୨), ବିଇଓ ସ୍ମୃତିରେଖା ନାୟକ ଓ ବିଇଓ ହରେକୃଷ୍ଣ ପଣ୍ଡା ପ୍ରମୁଖ ରହିଛନ୍ତି ।
ଗତ ୨୦୧୩-୧୪ରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଆସନ୍ତା ୧୦ ତାରିଖ ଅପରାହ୍ଣ ୩ଟାରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ମୂଲ୍ୟାୟନ ଆଧାରରେ ସମସ୍ତ ଶିକ୍ଷାଧିକାରୀଙ୍କର ଚୟନ ହୋଇଥିବା ବେଳେ ରାଜ୍ୟମାନଙ୍କର କୌଣସି ଅଭିଯୋଗ ଥିଲେ ତାହା ଆସନ୍ତା ୬ ତାରିଖ ମଧ୍ୟରେ ପଠାଇ ପାରିବେ । ଏନେଇ ଏନଆଇଇପିଏ କୁଳପତିଙ୍କ ପକ୍ଷରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଓ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀଙ୍କୁ ଚିଠି ପ୍ରଦାନ କରାଯାଇଛି । ଶିକ୍ଷାକୁ ତୃଣମୂଳ ସ୍ତରରୁ ସମୃଦ୍ଧ କରିବା ସହ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାର ବିକାଶ ନେଇ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି ।