fbpx

ଇଲେକ୍ଟୋରାଲ ବଣ୍ଡ୍; ଶ୍ରମିକରୁ ଲଟେରୀ କିଙ୍ଗ, ଜାଣନ୍ତୁ କିଏ ସାଣ୍ଟିଆଗୋ ମାର୍ଟିନ, ଦାନ କଲେ ୧୩୬୮କୋଟି ଟଙ୍କା

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୧୨ ତାରିଖରେ ଉପଲବ୍ଧ ହୋଇଥିବା ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ତଥ୍ୟ ଗୁରୁବାର ସନ୍ଧ୍ୟାରେ ନିର୍ବାଚନ ଆୟୋଗ ନିଜ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଏହି ତଥ୍ୟ ଅନୁଯାୟୀ, ସବୁଠାରୁ ଅଧିକ ଇଲେକ୍ଟୋରାଲ ବଣ୍ଡ କିଣିଛି ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ। ଅକ୍ଟୋବର ୨୦୨୦ରୁ ଜାନୁଆରୀ ୨୦୨୪ ମଧ୍ୟରେ କମ୍ପାନୀ ୧୩୬୮ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ କିଣିଛି। ଆଗରୁ ଇଡି ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯାହାକୁ ନେଇ ବିଭିନ୍ନ ଆଲୋଚନା କରାଯାଉଛି।

ଫ୍ୟୁଚର ଗେମିଂ ଏବଂ ହୋଟେଲ ସର୍ଭିସେସ୍ ଅକ୍ଟୋବର ୨୦୨୧ରେ ୧୯୫ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍  କିଣିଥିଲା । ଜାନୁଆରୀ ୨୦୨୨ରେ କମ୍ପାନୀ ଦୁଇଟି ପର୍ଯ୍ୟାୟରେ ୨୧୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ କିଣିଥିଲା। ଚଳିତ ବର୍ଷ ଜାନୁଆରୀରେ ୬୩ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ କିଣିବା ପରେ କଂପାନିର ସଦ୍ୟତମ କ୍ରୟ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ସାଣ୍ଟିଆଗୋ ମାର୍ଟିନ୍ ଏହି କମ୍ପାନିର ଚେୟାରମ୍ୟାନ୍। ମାର୍ଟିନଙ୍କୁ ‘ଲଟେରୀ କିଙ୍ଗ’ ମଧ୍ୟ କୁହାଯାଏ। କମ୍ପାନୀର କହିବା ଅନୁଯାୟୀ, ମାର୍ଟିନ ୧୩ ବର୍ଷ ବୟସରେ ଲଟେରୀ ଶିଳ୍ପରେ ପ୍ରବେଶ କରିଥିଲେ ଏବଂ ସମଗ୍ର ଭାରତରେ ଲଟେରୀ କ୍ରେତା ଏବଂ ବିକ୍ରେତାଙ୍କ ଏକ ବିଶାଳ ନେଟୱାର୍କ ନିର୍ମାଣ କରିଥିଲେ। କମ୍ପାନୀର ୱେବସାଇଟ ଅନୁଯାୟୀ ମାର୍ଟିନଙ୍କୁ ଅନେକ ଥର ଦେଶର ସର୍ବୋଚ୍ଚ ଆୟ କରଦାତାଙ୍କ ଟାଇଟଲ ପ୍ରଦାନ କରାଯାଇଥିଲା।

ମାର୍ଟିନ୍ ଚାରିଟେବଲ୍ ଟ୍ରଷ୍ଟର ୱେବସାଇଟ୍ ଅନୁଯାୟୀ, ବ୍ୟବସାୟ ଜଗତରେ ଯୋଗ ଦେବା ପୂର୍ବରୁ ମାର୍ଟିନ୍ ପ୍ରଥମେ ମିଆଁମାରର ୟାଙ୍ଗୁନ୍ ସହରରେ ଶ୍ରମିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସାମାନ୍ୟ ଦରମା ପାଇ ପରିବାର ଚଳାଉଥିଲେ। ପରେ ସେ ଭାରତ ଫେରି ଆସି୧୯୮୮ ମସିହାରେ ତାମିଲନାଡୁରେ ଲଟେରୀ ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ କର୍ଣ୍ଣାଟକ ଓ କେରଳ ଆଡକୁ ବିସ୍ତାର ହେଲା। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ୯୬୬ କୋଟି ଟଙ୍କା ଦାନ କରିଛି। ହାଇଦ୍ରାବାଦସ୍ଥିତ ଏହି କମ୍ପାନୀ ଏବେ ଅନେକ ଭିତ୍ତିଭୂମି ପ୍ରକଳ୍ପରେ କାମ କରୁଛି। ଇଲେକ୍ଟୋରାଲ ବଣ୍ଡ୍ କିଣିଥିବା ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟରେ ସ୍ପାଇସ୍ ଜେଟ୍, ଇଣ୍ଡିଗୋ, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ମେଘା ଇଞ୍ଜିନିୟରିଂ, ପିରାମଲ ଏଣ୍ଟରପ୍ରାଇଜେସ୍, ଟରେଣ୍ଟ ପାୱାର, ଭାରତୀ ଏୟାରଟେଲ୍, ଡିଏଲ୍ଏଫ୍ କମର୍ସିଆଲ୍ ଡେଭଲପର୍ସ, ବେଦାନ୍ତ ଲିମିଟେଡ୍, ଆପୋଲୋ ଟାୟାର, ଏଡେଲୱେସ୍, ପିଭିଆର୍ ଆଦି ରହିଛି।

 

 

 

 

Get real time updates directly on you device, subscribe now.