fbpx

କର୍ମଚାରୀଙ୍କ ଛଟେଇକୁ ନେଇ ମୁହଁ ଖୋଲିଲେ ଏଲନ୍ ମସ୍କ: କହିଲେ ଏହି କାରଣ ପାଇଁ ଚାକିରିରୁ ବାହାରୁଛନ୍ତି…

ନୂଆଦିଲ୍ଲୀ: ଏଲନ୍ ମସ୍କ ଟ୍ୱିଟରକୁ କିଣିବା ପରେ ବର୍ତ୍ତମାନ ଆକ୍ସନ ମୋଡରେ ଅଛନ୍ତି । ସେ କିଛିଦିନ ମଧ୍ୟରେ ଅନେକ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ସେ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ସେ ମୁହଁ ଖୋଲିଛନ୍ତି । ସେ କେଉଁ କାରଣ ପାଇଁ କର୍ମଟାରୀମାନଙ୍କୁ ଛଟେଇ କରିଛନ୍ତି ତାହା ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଭାରତରେ କାର୍ଯ୍ୟ କରୁଥିବା ଅଧିକାଂଶ କର୍ମଚାରୀଙ୍କୁ ବରଖାସ୍ତ କରିଛି ଟ୍ୱିଟର। ଏଥିସହିତ କମ୍ପାନୀ ଭାରତର ଅନେକ ବିଭାଗର ପୁରା ଦଳକୁ ମଧ୍ୟ ବରଖାସ୍ତ କରିଛି । ତେବେ ଛଟେଇ ପ୍ରସଙ୍ଗରେ ମସ୍କ ପ୍ରଥମ ଥର ପାଇଁ ଏକ ବିବୃତ୍ତି ଦେଇଛନ୍ତି। ଆଜି ଟ୍ୱିଟ୍ କରି ସେ କହିଛନ୍ତି ଯେ, କମ୍ପାନୀ ପ୍ରତିଦିନ ୪ ମିଲିୟନ୍ ଡଲାର୍ (୩୨ କୋଟିରୁ ଅଧିକ) କ୍ଷତି ସହୁଛି । ତେଣୁ ଦୁର୍ଭାଗ୍ୟବଶତଃ ଏବଂ ଅନ୍ୟ କୌଣସି ଉପାୟ ନ ପାଇ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଏତତ୍ ବ୍ୟତୀତ ଏଲନ୍ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନଙ୍କୁ କମ୍ପାନୀ ଚାକିରିରୁ ଛଟେଇ କରିଛି ସେମାନଙ୍କୁ ୩ ମାସର ଦରମା ପ୍ରଦାନ କରାଯାଇଛି । ଯାହା ଆଇନଗତ ଆବଶ୍ୟକତାଠାରୁ ୫୦ ପ୍ରତିଶତ ଅଧିକ ରହିଛି ।

ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ୍ ମସ୍କ ଗତ ସପ୍ତାହରେ ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ପରାଗ ଅଗ୍ରୱାଲ, ମୁଖ୍ୟ ଅର୍ଥନୈତିକ ଅଧିକାରୀ (CFO) ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ବହିଷ୍କାର କରିଥିଲେ। ତେବେ ସେ ଟ୍ୱିଟରର ମାଲିକାନା ହାସଲ କରିବା ପରେ ଏପରି କରିଛନ୍ତି । ଏହାପରେ ଟପ୍ ମ୍ୟାନେଜମେଣ୍ଟର ଅନେକ ଲୋକ ଇସ୍ତଫା ଦେଇଛନ୍ତି । ଯେତେବେଳେ ମସ୍କ ଟ୍ୱିଟର କିଣି ନଥିଲେ ସେତେବେଳେ ମଧ୍ୟ କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବେ ବୋଲି ଆଲୋଚନା ହୋଇଥିଲା । ତେବେ କେତେକ ରିପୋର୍ଟରେ କୁହାଯାଇଛି ଯେ ଏଲନ୍ ମସ୍କ ଆଗକୁ କର୍ମଚାରୀଙ୍କ ସଂଖ୍ୟାକୁ ୭୫ ପ୍ରତିଶତ ହ୍ରାସ କରିବେ।

Get real time updates directly on you device, subscribe now.