ହ୍ୱାଟ୍ସଆପକୁ ମାତ୍ ଦେବ ଏଲନ ମସ୍କଙ୍କ ‘XChat’, ବନ୍ଦ ହୋଇପାରେ WhatsApp !

ଚିନ୍ତାରେ ମେଟାର ସିଇଓ ମାର୍କ ଜୁକରବର୍ଗ।

ନୂଆଦିଲ୍ଲୀ:  ଏବେ ଘରେ ଘରେ ପରିଚିତ ହ୍ୱାଟ୍ସଆପ୍ ଆପ୍। ଯାହାକି ସ୍ମାର୍ଟଫୋନ ୟୁଜର୍ସଙ୍କ ପ୍ରଥମ ପସନ୍ଦ ଭାବରେ ସ୍ଥାନ ପାଇଛି। ହେଲେ ଏବେ ସେହି ହ୍ୱାଟ୍ସଆପର ଚିନ୍ତା ବଢ଼ିଛି। କାରଣ ଏବେ ଏଲନ ମସ୍କ ଲଞ୍ଚ କରିଛନ୍ତି XChat।

ହଁ  ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର (ବର୍ତ୍ତମାନ X) କିଣିବା ପରେ, ଏଲୋନ ମସ୍କ ଏବେ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ XChat ଲଞ୍ଚ କରିଛନ୍ତି। ଯାହାକୁ ନେଇ ସେ ନିଜ X ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ହ୍ୱାଟ୍ସଆପର ଚିନ୍ତା ବଢ଼ିଲାଣି:  ମସ୍କଙ୍କ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍, ସ୍ୱୟଂଚାଳିତ ଭାବରେ ଡିଲିଟ୍ ହୋଇଥିବା ମେସେଜ ଏବଂ ହ୍ୱାଟ୍ସଆପ୍ ପରି ଫାଇଲ୍ ସେୟାରିଂ ଭଳି ଫିଚର ଆଣିଛି। ମସ୍କଙ୍କ ଏହି ପ୍ଲାଟଫର୍ମ ମାର୍କ ଜୁକରବର୍ଗଙ୍କ ଟେନସନ୍ ବଢ଼ାଇବାକୁ ଯାଉଛି।

ଲୋକପ୍ରିୟ ହେବା ପରେ ଏହା ହ୍ୱାଟ୍ସଆପର ମୂଳଦୂଆକୁ ଦୋହଲାଇ ଦେଇପାରେ। ତଥାପି, ମସ୍କର ଏହି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଏବେ ବି ବିଟା ସଂସ୍କରଣରେ ଅଛି। ଖୁବ୍ ଶୀଘ୍ର, ଏହାର ସ୍ଥିର ସଂସ୍କରଣ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

XChat: ଲୋନ ମସ୍କ ତାଙ୍କ X ହ୍ୟାଣ୍ଡେଲରୁ ଏହି XChat ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ବିଷୟରେ ଘୋଷଣା କରିଛନ୍ତି। ମସ୍କ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ନୂଆ XChat ଲଞ୍ଚ ହେଉଛି, ଯାହା ଏନକ୍ରିପ୍ସନ, ମେସେଜ୍ ଡିଲିଟ୍ କରିବା, ଏବଂ ଫାଇଲ୍ ପଠାଇବାର ବିକଳ୍ପ ପ୍ରଦାନ କରିବ।

ଏହା ଛଡ଼ା ଏହି ଆପ୍ ମାଧ୍ୟମରେ ଅଡ଼ିଓ କିମ୍ବା ଭିଡିଓ କଲିଂ ମଧ୍ୟ କରାଯାଇପାରିବ। ଏହା ବିଟକଏନ୍-ଶୈଳୀର ଏନକ୍ରିପସନ୍ ଉପରେ ନିର୍ମିତ, ଯାହା ଏକ ସମ୍ପୂର୍ଣ୍ଣ ନୂଆ ଭାବରେ ତିଆରି ହୋଇଛି।

ହ୍ୱାଟ୍ସଆପ୍ ସହ ପ୍ରତିଯୋଗିତା:  ମସ୍କଙ୍କ ଏହି ପ୍ଲାଟଫର୍ମ ବର୍ତ୍ତମାନ ବିଟା ପର୍ଯ୍ୟାୟରେ ଅଛି ଏବଂ କେବଳ ସୀମିତ ବ୍ୟବହାରକାରୀ ଏହାକୁ ବ୍ୟବହାର କରିପାରିବେ। ପରୀକ୍ଷଣ ସମାପ୍ତ ହେବା ପରେ, ଏହାକୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ।

ତଥାପି କମ୍ପାନୀ ଦ୍ୱାରା ଏହି ପ୍ଲାଟଫର୍ମର ଲଞ୍ଚ ତାରିଖ କିମ୍ବା ସମୟସୀମା ଉଲ୍ଲେଖ କରାଯାଇ ନାହିଁ। X ପ୍ଲାଟଫର୍ମର ଏନକ୍ରିପ୍ସନ ବୈଶିଷ୍ଟ୍ୟ ସହିତ ଏହି ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ପ୍ରକୃତରେ ମେଟାର ହ୍ୱାଟସଆପ ସହିତ ପ୍ରତିଯୋଗିତା କରିବ ବୋଲି କୁହାଯାଉଛି।

ମେଟାର ସିଇଓ ମାର୍କ ଜୁକରବର୍ଗ ସବୁବେଳେ ଦାବି କରନ୍ତି ଯେ ତାଙ୍କ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଯୋଗୁଁ ଉପଭୋକ୍ତାଙ୍କ ଗୋପନୀୟତା ସୁରକ୍ଷିତ ରଖିଛି। ଏଲୋନ ମସ୍କଙ୍କ ଏହି ନୂତନ ପ୍ଲାଟଫର୍ମ ମଧ୍ୟ ବ୍ୟବହାରକାରୀଙ୍କୁ ସମାନ ସୁବିଧା ପ୍ରଦାନ କରିବ।

ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ କ’ଣ: ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନର ଅର୍ଥ ହେଉଛି ଯେ କୌଣସି ବାର୍ତ୍ତା କିମ୍ବା ଯୋଗାଯୋଗ କେବଳ ପ୍ରେରକ ଏବଂ ଗ୍ରହଣକାରୀଙ୍କ ମଧ୍ୟରେ ରହିବ। ଅନ୍ୟ କେହି ଏହାକୁ ଡିକୋଡ୍ କରିପାରିବେ ନାହିଁ।

ଏହି ଫିଚରକୁ ନେଇ ହ୍ୱାଟସଆପକୁ ଅନେକ ଥର ପ୍ରଶ୍ନ କରାଯାଇଛି। ହ୍ୱାଟସଆପ୍ ସବୁବେଳେ ଦାବି କରିଆସିଛି ଯେ ପ୍ରେରକଙ୍କ ଦ୍ୱାରା ମେସେଜ୍ ପଠାଇବା ପରେ, ଏହା ଏନକ୍ରିପ୍ଟେଡ୍ ରୂପରେ ଆସିଥାଏ। ଏହା ପରେ ଏହା ଡିକ୍ରିପ୍ଟ ହୋଇ ରିସିଭର ପାଖରେ ପହଞ୍ଚିଯାଏ।

ଏହି ସମୟ ମଧ୍ୟରେ, ଯଦି କେହି ମେସେଜ୍ ଆକ୍ସେସ୍ କରନ୍ତି, ତେବେ ପଠାଯାଇଥିବା ମେସେଜରେ କ’ଣ ଲେଖାଯାଇଛି ତାହା ଜଣାପଡ଼େ ନାହିଁ। ଏହି କାରଣରୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଯୋଗାଯୋଗକୁ ସୁରକ୍ଷିତ କୁହାଯାଏ।