fbpx

ଛୁଆ ଜନ୍ମ ହେଲେ କର୍ମଚାରୀଙ୍କୁ ମିଳିବ ୧ ଲକ୍ଷର ବୋନସ୍: ଶିଶୁକୁ ୫ ବର୍ଷ ପର୍ଯ୍ୟନ୍ତ କମ୍ପାନୀ ଦେବ ଅର୍ଥ

ନୂଆଦିଲ୍ଲୀ: ନିକଟରେ ଚୀନକୁ ଅତିକ୍ରମ କରି ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଦେଶର ମାନ୍ୟତା ଲାଭ କରିଛି । ଏହା ମଧ୍ୟରେ ଜନସଂଖ୍ୟା ହ୍ରାସ କାରଣରୁ ଚୀନରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ଚୀନରେ ଏବେ ବୃଦ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ସେଠାରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ସେଥିପାଇଁ କର୍ମଚାରୀଙ୍କ ପାଇଁ ଲକ୍ଷାଧିକ ଟଙ୍କାର ବୋନସ୍ ମଧ୍ୟ ଘୋଷଣା କରୁଛନ୍ତି ।

ଅଧିକ ଛୁଆ ଜନ୍ମ କଲେ ସରକାରଙ୍କ ତରଫରୁ ଆର୍ଥିକ ସବସିଡି ପ୍ରଦାନ କରାଯାଉଛି । ଫର୍ଟିଲିଟି ପରିବେଶ ସୃଷ୍ଟି କରିବା ସପକ୍ଷରେ ଏବେ କମ୍ପାନୀମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଟ୍ରିପ ଡଟ୍ କମ୍ ନାମକ ଏକ କମ୍ପାନୀ ନିକଟରେ ଏକ ନୂଆ ପଲିସୀ ଲଞ୍ଚ କରିଛି । ଜୁଲାଇ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ପଲିସୀ ମୁତାବକ, ଗୋଟିଏ ନୂଆ ସନ୍ତାନ ଜନ୍ମ ହେବା ପରେ କର୍ମଚାରୀଙ୍କୁ ବର୍ଷକୁ ପାଖାପାଖି ୧ ଲକ୍ଷ ଟଙ୍କା ମିଳିବ ।

ତେବେ ଶିଶୁଟିର ଜନ୍ମଠାରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ କମ୍ପାନୀ ଏହି ଅର୍ଥ ପ୍ରଦାନ କରିବ । ଯେଉଁ କର୍ମଚାରୀମାନେ ଏହି କମ୍ପାନୀରେ ୩ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବେ ସେମାନେ ଏହି ଚାଇଲଡ୍ କେୟାର ବେନିଫିଟ୍ ଉଠାଇ ପାରିବେ । ସମସ୍ତ ପରିବାର ଯେପରି ସେମାନଙ୍କର ବୃତ୍ତିଗତ ଲକ୍ଷ୍ୟ ହାସଲ କରିପାରିବେ ଓ ନିଜର ପରିବାରକୁ ବଢ଼ାଇ ପାରିବେ ସେଥିପାଇଁ କମ୍ପାନୀ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଟ୍ରିପ୍ ଡଟ୍ କମର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କହିଛନ୍ତି । ଗତ ୨୦୨୧ରେ ଚୀନରେ ପ୍ରତି ୧ ହଜାର ଲୋକଙ୍କ ମଧ୍ୟରେ ଜନ୍ମହାର ୫.୭୭ ରହିଥିବା ବେଳେ ୨୦୨୦ରେ ଏହା ୭.୫୨ ରହିଥିଲା ।

Get real time updates directly on you device, subscribe now.